ବଲାଙ୍ଗୀର:କଣ୍ଟାବାଞ୍ଜି ନାବାଳକ ଲଳିତ ଜୈନ ମୃତ୍ୟୁ ଘଟଣାକୁ ନେଇ ବିବାଦ ଥମିବାର ନା ନେଉନି । ପୂର୍ବରୁ ତଦନ୍ତରେ ଅବହେଳା ଓ ମାମଲା ଚାପି ଦେବାର ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଜିଲ୍ଲା ବିଜେପି ମଧ୍ୟ ଜିଆରପିର ଭୂମିକା ଉପରେ ସନ୍ଦେହ ପ୍ରକଟ କରି ଉଚ୍ଚସ୍ତରୀୟ ଅଧିକାରୀଙ୍କ ନେତୃତ୍ବରେ ଏହି ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଦଳ ବଲାଙ୍ଗୀର ଏସପିଙ୍କ ସହିତ ସାକ୍ଷାତ କରି ନିଜର ଦାବି ଜଣାଇଛନ୍ତି । ଲଳିତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଏହା ପଛର ରହସ୍ୟ ଉନ୍ମୋଚନ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଟିମ୍ ଦାବି କରିଛି ।
ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି କହିଛନ୍ତି, ''ଲଳିତ ଜୈନଙ୍କ ମୃତ୍ୟୁ ଏବେ ବି ରହସ୍ୟ ମଧ୍ୟରେ ରହିଛି । ତାଙ୍କୁ ହତ୍ୟା କରାଯାଇଛି କିମ୍ବା ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ତାହାର ତଦନ୍ତ ହେଉ । ଏହି ଘଟଣାରେ କେବଳ ଦୁଇ ଜଣ ନୁହଁନ୍ତି ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥାଇପାରେ । ତେଣୁ ସେମାନଙ୍କ ତଦନ୍ତଭୁକ୍ତ କରି ଗିରଫ କରାଯାଉ । ଏହି ଘଟଣାରେ ଆବଶ୍ୟକ ଏସଓପି ପାଳନ ହୋଇନାହିଁ । କାହା ପ୍ରରୋଚନାରେ ଏହା କରାଯାଇଛି ତାହାର ମଧ୍ୟ ତଦନ୍ତ କରାଯାଉ ।'' ସେହିପରି ଯେଉଁମାନେ ତଦନ୍ତ ଦିଗହରା କରିବାର ପ୍ରୟାସ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ନେତା ଦାବି କରିଛନ୍ତି । ଦାବି ପୂରଣ ନେଇ ବଲାଙ୍ଗୀର ଏସପି ପ୍ରତିଶ୍ରୁତି ଦେଇଥିବାର ସେ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ: ଇନଷ୍ଟାଗ୍ରାମ ପାଇଁ ଜୀବନ ହାରିଥିଲେ କଣ୍ଟାବାଞ୍ଜିର ଲଳିତ, ଦୁଇ ଗିରଫ