ବଲାଙ୍ଗୀର:ଉଦଘାଟନୀ କାର୍ଯ୍ୟକ୍ରମରେ ମୁହାଁମୁହିଁ ହେଲେ ବିଜେଡି ଓ କଂଗ୍ରେସ । ବଲାଙ୍ଗୀରର କୋଶଳ କଳାମଣ୍ଡପ ଠାରେ ଶୁକ୍ରବାର ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ବିଜେଡିର ଜଣେ କାଉନସିଲରଙ୍କୁ କଂଗ୍ରେସ କର୍ମୀ ଓ ସ୍ଥାନୀୟ ବିଧାୟକ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏନେଇ ବିଜେଡି ଟାଉନ ଥାନାରେ ପହଞ୍ଚି ଅଭିଯୋଗ କରିଛି । ସେପଟେ କଂଗ୍ରେସ ମଧ୍ୟ ଥାନାରେ ପାଲଟା ଅଭିଯୋଗ ଆଣିଛି । ବିଜେଡିର ଗୁଣ୍ଡାମାନେ କଂଗ୍ରେସର ଜଣେ ମହିଳାକର୍ମୀଙ୍କୁ ମାଡ ମାରିବା ସହ ତାଙ୍କ ଠାରୁ ଟଙ୍କା ଛଡାଇ ନେଇଥିବା ସେମାନେ ଅଭଯୋଗ କରିଛନ୍ତି । ପୋଲିସ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛନ୍ତି ।
ପୁରା ଘଟଣାକ୍ରମ ଅନୁଯାୟୀ, ଶୁକ୍ରବାର ବଲାଙ୍ଗୀର କୋଶଳ କଳାମଣ୍ଡପ ଠାରେ ସଂସ୍କୃତି ଭବନର ଉଦଘାଟନୀ କାର୍ଯ୍ୟକ୍ରମ ଥିଲା । ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉଦଘାଟନ କରିଥିଲେ । ଏଥିରେ ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବଲାଙ୍ଗୀର ପୌର ପରିଷଦର ସମସ୍ତ କାଉନସିଲର ଓ ପୌରଧ୍ୟକ୍ଷା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ବିଜେଡି ଓ କଂଗ୍ରେସ କର୍ମୀମାନେ ନିଜ ନେତାଙ୍କ ଜୟ ଜୟକାର କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ସମୟରେ ବିଧାୟକ ନରସିଂହ ମିଶ୍ର, ପୌରାଧ୍ୟକ୍ଷା ଲିକା ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ଥିଲେ ।