ବଲାଙ୍ଗୀର: ମୁଁ ବଡ ହେଲେ ଜଜ୍ ହେବି । ଦେଶରେ ନାରୀ ନିର୍ଯାତନା ବଢିଚାଲିଛି । ଚାରିଆଡେ ଅପରାଧ ବଢିଚାଲିଛି । ଏହାକୁ ମୁଁ ସହ୍ୟ କରିପାରୁନି । ବଡ ହେଲେ ପାଠପଢି ଜଜ୍ ହେବି, ଆଉ ଦୋଷୀଙ୍କୁ କଠୋର ଦଣ୍ଡ ଦେବି। ଏଭଳି ତାଙ୍କ ଲକ୍ଷ୍ୟ ବାବଦରେ କହି ଏବେ ଚର୍ଚ୍ଚାରେ ବଲାଙ୍ଗୀରର ଜଣେ କୋମଳମତି ଛାତ୍ରୀ । ଏପରିକି ପ୍ରଶାସନିକ ଅଧିକାରୀ ମଧ୍ୟ ତାଙ୍କ କଥାରେ ଆକର୍ଷିତ ହୋଇ ତାଙ୍କ ନିଜ କୋଳରେ ବସାଇ ତାଙ୍କୁ ଦେଇଛନ୍ତି ଶୁଭେଚ୍ଛା ।
କୁନି ଝିଅର ଉଚ୍ଚ ଆଶା: ମୁଁ ବଡ଼ ହେଲେ ଜଜ୍ ହେବି, ଅପରାଧୀଙ୍କୁ ଦଣ୍ଡ ଦେବି ତେବେ ବଲାଙ୍ଗୀର ପାଟଣାଗଡ଼ ବ୍ଲକ କଳଙ୍ଗା ପାଲି ଗ୍ରାମର ଛୋଟ କୋମଳମତି ଛାତ୍ରୀ ଶୁଭଶ୍ରୀ ସାହୁ । ସେ ବର୍ତ୍ତମାନ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ତେବେ ଏଥି ପାଇଁ ଆବଶ୍ୟକ ଥିବା ରେସିଡେନ୍ସିଆଲ ପ୍ରମାଣ ପତ୍ର ପାଇଁ ତାଙ୍କ ବାପା ସାଙ୍ଗରେ ପାଟଣାଗଡ଼ ତହସିଲକୁ ଯାଇଥିଲେ। ତେବେ ସେଠି ବହୁତ ଭିଡ଼ ଥିବାରୁ ସେ ଏକା ତହସିଲଦାରଙ୍କୁ ଯାଇ ଦେଖା କରିଥିଲେ ଏବଂ ତାଙ୍କୁ ଏହି ପ୍ରମାଣପତ୍ର ଦେବାକୁ ଅନୁରୋଧ କରିଥିଲେ ।
ସାଧାରଣତଃ ଛୋଟ ଶିଶୁମାନେ ଏଭଳି ଏକା କୌଣସି ଅଧିକାରୀଙ୍କ ପାଖକୁ ଆସୁନ ଥିବାବେଳେ ପାଟଣାଗଡ଼ ତହସିଲଦାର ଛାତ୍ରୀକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଆସିବାର ଉଦ୍ଦେଶ୍ୟ ପଚାରି ଥିଲେ। ଏପରିକି ତାଙ୍କ କାମ ତୁରନ୍ତ କରିବା ସହ ଛାତ୍ରୀଙ୍କୁ ଆଗକୁ କଣ ଲକ୍ଷ୍ୟ ରଖିଛ ବୋଲି ପଚାରିଥିଲେ। ତେବେ ଛାତ୍ରୀ ଜଣକ ଆଗକୁ ଜଣେ ଜଜ୍ ହେବେ ଓ ଅପରାଧୀଙ୍କୁ ସଜ୍ଜା ଦେବେ ବୋଲି କହି ତହସିଲଦାରଙ୍କ ମନ ଜିଣି ନେଇଥିଲେ । ଯାହା ପରେ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ନିଜ ସିଟ୍ରେ ଛାତ୍ରୀଙ୍କୁ ବସାଇ ତାଙ୍କୁ ବାଦାମ ଖୁଆଇବା ସହ ଏକ ପେନ ଦେଇଥିଲେ ଏବଂ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର ମଧ୍ୟ କରିଛନ୍ତି ।
ତେବେ ସାଧାରଣତଃ ଛୋଟ ଶିଶୁମାନେ ଆଗକୁ ଡାକ୍ତର, ଇଞ୍ଜିନିୟର ହେବେ ବୋଲି କହୁଥିବା ବେଳେ ଏହି ଛାତ୍ରୀ ଜଣକ ଏମିତି କାହିଁକି କହିଲେ, ତାହା ସମସ୍ତେ ଚିନ୍ତା କରିବାର ଆବଶ୍ୟକ ରହିଛି। ଆଜି ସମାଜରେ ଅପରାଧ ବଢ଼ି ବଢ଼ି ଚାଲିଛି। ମହିଳାଙ୍କ ପ୍ରତି ନିର୍ଯାତନା ମଧ୍ୟ ଶିଖରରେ ରହିଛି। ଅନେକ ସମୟରେ ଲୋକ ବା ପୀଡ଼ିତ ନ୍ୟାୟ ପାଉନାହାଁନ୍ତି। ଏଭଳି ବିଷୟ ଏହି କୋମଳ ମତି ଛାତ୍ରୀଙ୍କୁ ବେଶ ଆନ୍ଦୋଳିତ କରିଛି। ତେବେ ଏଥିପାଇଁ ସେ ଆଗକୁ ଜଜ ହେବେ ଓ ଲୋକଙ୍କୁ ନ୍ୟାୟ ଦେବେ ବୋଲି କହିବା ସମସ୍ତଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ