ବଲାଙ୍ଗୀର: ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନରେ ଭରପୁର ବଲାଙ୍ଗୀର ସହର । ଘଞ୍ଚ ଜଙ୍ଗଲ ମଧ୍ୟରେ ନୀଳ ଲହରୀମାଳ, ଆଉ ତା ସାଙ୍ଗକୁ ସୁଉଚ୍ଚ ପର୍ବତମାଳ । ଯାହା ଏକ ବଳିଷ୍ଠ ପର୍ଯ୍ୟଟନ ସ୍ଥଳୀର ପ୍ରମାଣ ଦିଏ । ହେଲେ ଆଜି ବି ଏମିତି କିଛି ସ୍ଥାନ ରହିଛି ଯାହା ପର୍ଯ୍ୟଟନୀ ସ୍ଥଳର ମାନ୍ୟତା ପାଇ ମଧ୍ୟ ଲୁକ୍କାୟିତ ରହିଛି । ଏମିତି ଏକ ସ୍ଥାନ ଭୀମ ପାହାଡ । ଯାହା ସହର ଠାରୁ ମାତ୍ର 18 କିମି ଦୂର ଦେଓଗାଁ ବ୍ଲକ ଉପରଝର ଗାଁରେ ।
ଐତିହାସିକ ପୃଷ୍ଠଭୂମି, ଆଧ୍ୟାତ୍ମିକ ପରିବେଶ ଓ ପ୍ରାକୃତିକ ସମ୍ପଦ ଭରପୁର ଏ ଅଞ୍ଚଳ । ଆଉ ପାହାଡ ପର୍ବତ, ଶତାଧିକ ଗୁମ୍ପା, ମଠ ମନ୍ଦିର ଏଠି ଏକ ଆଧ୍ୟାତ୍ମିକ ପରିବେଶର ସୃଷ୍ଟି କରେ । ଘଞ୍ଚ ଜଙ୍ଗଲରେ ଜଳାଶୟ ସତେ ଯେମିତି ହାତ ଠାରି ପର୍ଯ୍ୟଟକଙ୍କୁ ଡାକି ନେଉଛି । ଖାଲି ଆଧ୍ୟାତ୍ମିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏହା ସୀମିତ ହୋଇ ରହିନାହିଁ । ପ୍ରତିବର୍ଷ ଏଠି ବିଭିନ୍ନ ପୂଜାର୍ଚ୍ଚନା ତଥା ମହୋତ୍ସବରେ ଜମେ ହଜାର ହଜାର ସଂଖ୍ୟକ ଲୋକ ।