ବଲାଙ୍ଗୀର: ଜିଲ୍ଲା କଳାମଣ୍ଡଳ ପଡ଼ାର ଉଦିତ ରଞ୍ଜନ ଜେନା । ଜଣେ ମେଧାବୀ ଛାତ୍ର । ବିଟେକ ପରେ ଏମଟେକ ପଢିବା ପାଇଁ ଇଚ୍ଛା ଥିଲା । ଏନେଇ ଗେଟ୍ ପରୀକ୍ଷା ନେଇ ପ୍ରସ୍ତୁତି କରିଥିଲେ । ଆଖିରେ ଅସୁମାରୀ ସ୍ବପ୍ନ ଥିଲା । ଆଗକୁ ଭଲ ପଢିବେ ଚାକିରିଟିଏ କରି ପରିବାର ଚଳାଇବେ । ହେଲେ ଏ ସ୍ବପ୍ନ ତାଙ୍କ ପାଇଁ ଅଧୁରା ରହିଛି । ରୋଗାଗ୍ରସ୍ତ ଉଦିତ ଏବେ ଶଯ୍ୟାଶାୟୀ । ପାଦେ ଚାଲିବାକୁ ବି ତାଙ୍କର ସାମର୍ଥ୍ୟ ନାହିଁ । ଉଦିତଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି ଯାହା ପରିବାର ପାଇଁ ଯୋଗାଡ କରିବା କଷ୍ଟକର । ଉଦିତଙ୍କ ଚିକିତ୍ସା ପାଇଁ ସରକାରୀ ସହୟତା ଅପେକ୍ଷାରେ ରହିଛନ୍ତି ତାଙ୍କ ପରିବାର ।
2022ରେ ଅଚନାକ ଅସୁସ୍ଥ ହୋଇଥିଲେ ଉଦିତ । ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆପେନଣ୍ଡିକ୍ସ ହୋଇଥିବା ଜଣାପଡିବା ପରେ ବଲାଙ୍ଗୀରର ଏକ ଘରୋଇ ସମଲେଶ୍ବରୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଭୁଲ ଅସ୍ତ୍ରୋପ୍ରଚାର ନେଇ ସବୁ ଦିନ ଲାଗି ଶଯ୍ୟାଶାୟୀ ହୋଇଛନ୍ତି ଉଦିତ । ପାଠପଢାରେ ଡୋରି ଲାଗିଛି । ସ୍ବପ୍ନ ଛାରଖାର ହୋଇଛି । ଏହାରି ଭିତରେ ଉଦିତଙ୍କର 4ଟି ଅସ୍ତ୍ରୋପଚାର ସରିଲାଣି ମାତ୍ର କୌଣସି ସୁଫଳ ମିଳୁନାହିଁ । ଡାକ୍ତରଙ୍କ ଭୁଲ ହେଉ ବା ଅନ୍ୟ କୌଣସି କାରଣ ହେଉ ଅସ୍ତ୍ରୋପଚାର କିଛି ଲାଭ ମିଳିନାହିଁ । ପୁଅର ଏ ଅବସ୍ଥା ଦେଖି ବାପାମାଆଙ୍କ ଆଖିରୁ ଲୁହ ଶୁଖୁନାହିଁ । ଉଦିତଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି । ଏ ନେଇ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର ।