ବଲାଙ୍ଗୀର: ଜାତୀୟ ସ୍ତରରେ ଚମକିଲା ଘୁଡକା ନୃତ୍ୟ । ଜାତୀୟ ସ୍ତରରେ ଚମକିଲା ବଲାଙ୍ଗୀରର ଆଦିବାସୀ ନୃତ୍ୟ ଘୁଡକା । ପାରମ୍ପରିକ କଳାର କମାଲ ଦେଖାଇ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରି କଳାକାରମାନେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଛତିଶଗଡ଼ ସ୍ଥିତ ରାୟପୁର ଠାରେ ଆୟୋଜିତ 22 ତମ ଜାତୀୟ ରାଜ୍ୟ ମହୋତ୍ସବରେ ବଲାଙ୍ଗୀରର ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା ।
ଦେଶର ସମସ୍ତ 29ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ନ୍ୟାସନାଲ ଟ୍ରାଇବାଲ ଡ୍ୟାନ୍ସ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ରାଜ୍ୟର 50ଟି ସାଂସ୍କୃତିକ ସଂଗଠନ ଅଂଶ ଗ୍ରହଣ କରିଥିଲେ । ତେବେ ଓଡିଶାରୁ ମଧ୍ୟ ଅନେକ ସଂଗଠନ ସହ ବଲାଙ୍ଗୀରର ଦୁଲ ଦୁଲି କଳା ପରିଷଦ ସାମିଲ ହୋଇଥିଲା । ସେଠାରେ ବଲାଙ୍ଗୀରର ଆଦିବାସୀ ଘୁଡକା ନୃତ୍ୟ ପ୍ରଦର୍ଶିତ କରିଥିଲେ । ତେବେ ଏହି ନୃତ୍ୟକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଦର୍ଶକ ଏବଂ ବିଚାରକ ମଣ୍ଡଳିଙ୍କ ମନ ଜିଣି ଘୁଡକା ନୃତ୍ୟ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା । ପୁରସ୍କାର ରାଶି ଆକାରରେ ଟ୍ରଫି ସହ ଭାରତ ସରକାରଙ୍କ ପକ୍ଷରୁ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।