ବଲାଙ୍ଗୀର:କଅଁଳ ବୟସରେ କୁନି ହାତରେ ଜଣେ ହୋଇପାରନ୍ତି ଜଗତଜିତା । ସର୍ବକନିଷ୍ଠ ଭାବେ ପ୍ରସିଦ୍ଧ କମ୍ପ୍ୟୁଟର ସଫ୍ଟୱାର ନିର୍ମାତା ମାଇକ୍ରୋସଫ୍ଟ କମ୍ପାନୀର ଏମଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ସାତ ବର୍ଷର ବାଳକ ଭେଙ୍କଟ ରମଣ ପଟ୍ଟନାୟକ। ଏହାପରେ ତାଙ୍କୁ ବଲାଙ୍ଗୀରର ବିସ୍ମୟ ବାଳକ ବୋଲି କୁହାଯାଉଛି ।
ବଲାଙ୍ଗୀର ପ୍ୟାଲେସ ଲାଇନରେ ରହୁଥିବା ମା' ଡି ପ୍ରମିଳା କୁମାରୀ ଓ ବାପା କୂଳଦୀପ ପଟ୍ଟନାୟକଙ୍କ ସେ ସନ୍ତାନ ଅଟନ୍ତି । ବାପା ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ, ସେ ଇଣ୍ଟରନେଟ ଡୋମେନ ସମ୍ପର୍କୀୟ କାମ କରନ୍ତି । ସେହିପରି ମା ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟରେ କାମ କରନ୍ତି। ତେବେ ପରିବାର ଲୋକଙ୍କ କହିବା ଅନୁସାରେ ଭେଙ୍କଟ ରମଣ, ଗତ ଦୁଇବର୍ଷରୁ କମ୍ପ୍ୟୁଟର କୋଡ଼ିଂ ଆଡକୁ ମନ ବଳାଇ ଥିଲେ । ଏଥିପାଇଁ ତାଙ୍କ ପରିବାର ଲୋକେ ବେଙ୍ଗାଲୁରୁସ୍ଥିତ ଏକ କମ୍ପ୍ୟୁଟର କୋଡ଼ିଂ ସ୍କୁଲ ସହିତ ସମ୍ପର୍କ କରିଥିଲେ। ମାତ୍ର ଏତେ ଅଳ୍ପ ବୟସରୁ ସମ୍ପୃକ୍ତ ସ୍କୁଲ ତାଙ୍କ ନାମ କେମିତି ଲେଖାଇବ ତାକୁ ନେଇ ଦ୍ଵନ୍ଦ୍ବ ପଡି ଥିଲା । ଶେଷରେ ପ୍ରାଥମିକ ପରୀକ୍ଷା ପରେ ସେମାନେ ଏହି ବାଳକର ଜ୍ଞାନକୁ ମାନି ଥିଲେ । ସେହିପରି ଘରେ ରହି ଭେଙ୍କଟ ରମଣ ସ୍କୁଲ ପାଠ ପଢୁଥିବା ବେଳେ କୋଡ଼ିଂ ମଧ୍ୟ ପଢିବା ଆରମ୍ଭ କରିଥିଲେ।