ବଲାଙ୍ଗୀର : ଓଡିଶା ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକାକୁ ନେଇ ବିବାଦ ତୁଟିବାର ନା ନେଉନାହିଁ। ସରକାର ଆଜି ପୁଣି ନୂଆ ତାଲିକା ପ୍ରକାଶ କରିଥିବା ବେଳେ ଏଥିରେ ଆଦିବାସୀ ବହୁଳ ବଲାଙ୍ଗୀର ଜିଲ୍ଲାରେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷଣ ନଥିବାକୁ ନେଇ ଉଠିଛି ଆପତ୍ତି। ଆଗକୁ ଏହାକୁ ନେଇ ଆଦିବାସୀ ସାରା ଓଡିଶାରେ ଆନ୍ଦୋଳନ କରିବେ ବୋଲି ଦେଇଛନ୍ତି ଧମକ ।
ଓଡିଶାରେ ପଞ୍ଚାୟତ ନିର୍ବାଚନକୁ ନେଇ ବେଶ ରାଜନୀତି ହେଉଥିବାବେଳେ ତାଠାରୁ ଅଧିକ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜନୀତି ହେଉଛି। ତେବେ ହାଇକୋର୍ଟଙ୍କ ରାୟ ପରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ରାଜ୍ୟ ସରକାର ହରଡ ଘଣାରେ ଥିବାବେଳେ ଏବେ ପୁଣି ଆଦିବାସୀ ଜନଜାତିଙ୍କ ସଂରକ୍ଷଣକୁ ନେଇ ଉଠିଛି ଆପତ୍ତି। ତେବେ ସରକାର ଆଜି ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ ବା ଅନୁସୂଚିତ ଜନଜାତି ପାଇଁ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରେ ଏମାନଙ୍କୁ ସଂରକ୍ଷଣ ଦିଆ ଯାଇନାହିଁ। ତେବେ ଏହାକୁ ନେଇ ଆଦିବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।