ବଲାଙ୍ଗୀର:ବସ୍ତିବାସିନ୍ଦାଙ୍କ ଜମି ଉପରେ ବ୍ୟବସାୟୀଙ୍କ ନଜର । ଦୀର୍ଘ 30 ବର୍ଷରୁ ସରକାରୀ ଜମିରେ ଘର କରି ରହି ଆସୁଥିବା ଗରିବଙ୍କ ଜମିକୁ ଏବେ କିଛି ବ୍ୟବସାୟୀ ନିଜର ଜମି କହି ଉଚ୍ଛେଦ କରିବାରେ ଲାଗିଛନ୍ତି । ସେପଟେ ଏସବୁ ବେଆଇନ କାମ ଏଠି ହେଉଥିବା ବେଳେ ପ୍ରଶାସନ ସବୁ ଜାଣି ଚୁପ ବସିଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ସାଲେପାଲି ଅଞ୍ଚଳରେ ଥିବା କାମାକ୍ଷ୍ୟାନଗର ବସ୍ତିରୁ ଏଭଳି ଅଭିଯୋଗ ଆସିଛି । ଏହି କାମାକ୍ଷ୍ୟାନଗରରେ ଦୀର୍ଘ 30 ବର୍ଷ ଧରି ତିନି ଶହ ଗରିବ ଓ ଶ୍ରମିକ ଶ୍ରେଣୀର ପରିବାର ରହି ଆସୁଛନ୍ତି ।
ସେହିପରି ସରକାର ଏମାନଙ୍କୁ ଏଠି ନିଜେ ଆବାସ ଯୋଜନା, ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ, ରାସ୍ତା ,ବିଦ୍ୟୁତ ସବୁ ସୁବିଧା ଯୋଗାଇ ଦେଇଛନ୍ତି । ସେହିପରି ଏଠାରେ ପ୍ରାଥମିକ ସ୍କୁଲ ମଧ୍ୟ ନିକଟରେ ସରକାର ତିଆରି କରିଛନ୍ତି । ହେଲେ ଏବେ ବଲାଙ୍ଗୀର ଜଣେ ବ୍ୟବସାୟୀ ତ୍ରିପୁରାରୀ ପାଣିଗ୍ରାହୀ ଏହି ବସ୍ତି ଅଞ୍ଚଳକୁ ନିଜର ଜମି କହି ଲୋକଙ୍କୁ ଧମକ ଦେଉଛନ୍ତି । ଏପରିକି ନିଜେ ଜେସିବି ଲଗାଇ ସବୁ ପଟେ ଖାଲ କରିବା ସହ ଲୋକଙ୍କ ରାସ୍ତା ଘାଟ ସବୁ ବନ୍ଦ କରି ଦେଇଛନ୍ତି । ସମାନ ଭାବରେ ଏଠି ଥିବା ସ୍କୁଲ ସାମନାରେ ମଧ୍ୟ ସେ ଖାଲଖମା କରି ଦେଇଛନ୍ତି ।
ସେପଟେ ଏହି ଗରିବ ବସ୍ତି ବାସିନ୍ଦା ନ୍ୟାୟ ପାଇଁ ପୋଲିସ ପ୍ରଶାସନର ଦ୍ୱାରସ୍ତ ହୋଇ ମଧ୍ୟ ନ୍ୟାୟ ପାଉ ନ ଥିବାର କହିଛନ୍ତି । ତେବେ ସହର ଅଧ୍ୟରେ ଏବେ ଜମି କାରବାରରେ ଅଧିକ ମୁନାଫା ଥିବା ବେଳେ ବ୍ୟବସାୟୀ ମାନେ ଏହାକୁ ଆଦରି ନେଇଛନ୍ତି । ବେଆଇନ ଭାବରେ ସେମାନେ ଜମି କାରବାର ରେ ଲିପ୍ତ ରହି ଖୁବ ଲାଭବାନ ହେଉଛନ୍ତି । ଏହି କାରବାର ମଧ୍ୟରେ ବଳି ପଡୁଛନ୍ତି ଏଭଳି ନିରୀହ ଗରିବ ଲୋକ । ତେବେ 30 ବର୍ଷରୁ ଏଠି ବସ୍ତି ବସି ଥିବା ବେଳେ ସରକାର ସବୁ ସୁବିଧା ମଧ୍ୟ ଏହି ବସ୍ତିକୁ ଯୋଗାଇଛନ୍ତି ।