ବଲାଙ୍ଗୀର:ବର୍ତ୍ତମାନ ଆତ୍ମହତ୍ୟା ଏକ ବଡ ସମସ୍ୟା ହୋଇଛି । ଆତ୍ମହତ୍ୟା ନିୟନ୍ତ୍ରଣ ପାଇଁ କମ୍ପ୍ୟୁଟର ପ୍ରୋଗ୍ରାମ ତିଆରି କରିଛନ୍ତି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଛାତ୍ର । ଏବେ କମ୍ପ୍ୟୁଟର ପ୍ରୋଗ୍ରାମ ରୋକିବ ଆତ୍ମହତ୍ୟା । ଜାତୀୟ ବିଶ୍ବବିଦ୍ୟାଳୟ ସ୍ତରରେ ଏହି କମ୍ପ୍ୟୁଟର ପ୍ରୋଗ୍ରାମ କରୁଥିବା ଛାତ୍ର ଦଳ ପୁରସ୍କୃତ ହୋଇଛନ୍ତି । ଗତ ମାର୍ଚ୍ଚ 16 ଏବଂ 17 ତାରିଖରେ ଗୁଜରାଟ ଗଣପତ ବିଶ୍ବବିଦ୍ୟାଳୟ ଠାରେ ଆୟୋଜିତ ଭାରତୀୟ ବିଶ୍ବବିଦ୍ୟାଳୟ ସମୂହର ଅନ୍ବେଷଣ 2022-23 ପ୍ରତିଯୋଗିତାରେ ଏହି ଟିମ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ଦେଶର 4ଟି ଜୋନର 16ଟି ରାଜ୍ୟର 14 ଟି ବିଶ୍ବବିଦ୍ୟାଳୟର 76ଟି ପ୍ରୋଜେକ୍ଟ ସାମିଲ ହୋଇଥିଲା। 165 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଛାତ୍ରମାନେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ପୁରସ୍କାର ବାବଦରେ 50 ହଜାର ଟଙ୍କା ଆର୍ଥିକ ରାଶି ସହ ମାନପତ୍ର ପାଇଥିଲେ । ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ଏଚଓଡି ପ୍ରଫେସର ଦେବବ୍ରତ ଦଣ୍ଡସେନାଙ୍କ ନେତୃତ୍ବରେ 4ଜଣ ଛାତ୍ର ଏହି ସଫଳତା ପାଇଛନ୍ତି। ଯେଉଁଥିରେ ଏହି ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ର ରଜତ ସାହୁ, ସୌମ୍ୟ ପୋଡ଼ା, ପ୍ରୀତମ ଖମାରି ଓ ସମୀର ଜେନା ପ୍ରମୁଖ ଏଥିରେ ନିଜର ଏକ ପ୍ରୋଜେକ୍ଟ ତିଆରି କରିଥିଲେ । କସମିକ କୋଡର ନାଁରେ ନିଜ ଟିମକୁ ନାମିତ କରିଥିଲେ ।
ପାଞ୍ଚଟି ବିଷୟ ମଧ୍ୟରୁ ଏମାନେ ସୋସିଆଲ ସାଇନ୍ସ ବିଷୟରେ ନିଜର ପ୍ରୋଜେକ୍ଟ ତିଆରି କରିଥିଲେ। ବର୍ତ୍ତମାନ ଆତ୍ମହତ୍ୟା ଘଟଣା ବଢୁଛି। ଏହାର କାରଣ, ନିରାକରଣ, ତଥା ଡିପ୍ରେସନରେ ଥିବା ଲୋକଙ୍କୁ ତାଙ୍କର କମ୍ପ୍ୟୁଟର ପ୍ରୋଗ୍ରାମ କାମ କରିବ। ସେହିପରି ଲୋକଙ୍କୁ ବିଭିନ୍ନ ମ୍ୟୁଜିକ ଥେରାପି ଦେବା ସହ ଅନ୍ୟମାନଙ୍କ ସହ ଯୋଡିବ। ଯାହା ଫଳରେ ଆତ୍ମହତ୍ୟା ରୋକି ହେବ । ଏହି କମ୍ପ୍ୟୁଟର ପ୍ରୋଗ୍ରାମ ପାଇଁ ଏମାନେ ଦେଶରେ ଦ୍ଵିତୀୟ ସ୍ଥାନରେ ପୁରସ୍କାର ପାଇଛନ୍ତି ।