ବଲାଙ୍ଗୀର: ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ । ଫେରାର ଅପରାଧିଙ୍କୁ ଆଉ ମିଳିବନି ମୁକ୍ତି । ଅପରାଧୀ ଘଟାଇ ଫେରାର ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଆରମ୍ଭ ହେଲା ଉଦ୍ୟମ । ଏମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ପୋଲିସ(zero tolerance against absconded criminal )। ପୋଲିସ ପକ୍ଷରୁ ଡେଙ୍ଗୁରା ପିଟାଯାଇ ଫେରାର ଥିବା ଅପରାଧୀଙ୍କ ନାଁ ମାଇକ ଯୋଗେ ପଳାତକ ଘୋଷଣା କରାଯିବା । ଏପରିକି ସେମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜପ୍ତ କରାଯିବା ନେଇ ପୋଲିସ ତରଫରୁ ନୋଟିସ ମରାଯାଇଛି ।
ଜିଲ୍ଲାରେ ଅପରାଧ ଘଟାଇ ବାହାର ରାଜ୍ୟକୁ ଖସି ପଳାଇଥାନ୍ତି ଅପରାଧି । ଫଳରେ ଏମାନଙ୍କୁ ଖୋଜିବାରେ ନାକେଦମ ହୁଏ ପୋଲିସ । ତେବେ ପୋଲିସ ଏବେ ଏମାନଙ୍କୁ ଧରିବା ପାଇଁ କଠୋର ଉଦ୍ୟମ ଆରମ୍ଭ କରିଛି । 82 ସିଆରପିସି ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ପଳାତକ ଘୋଷଣା କରିବା ସହ ସମ୍ପତ୍ତି ବ୍ୟାଜପ୍ତ ନୋଟିସ ଅପରାଧୀଙ୍କ ଘରେ ମାରିଛି ପୋଲିସ ।
ବଲାଙ୍ଗୀର ଜିଲ୍ଲାର ୭ଜଣ ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ । ଏହି ଅପରାଧୀ ତାଲିକାରେ ଅଛନ୍ତି ବଲାଙ୍ଗୀର ସହରର ଜଣେ, ପୁଇଁତଲା ବ୍ଲକର ଦୁଇ ଜଣ, ତୁଷୁରାର ଜଣେ, ଗନ୍ଧରେଲର ଜଣେ ଓ ମାଧିଆପାଲି ଗାଁର ଦୁଇ ଜଣ । ଏହି ଅପରାଧୀଙ୍କ ବିରୋଧରେ ନିଆଯାଇଛି କଠୋର ପଦକ୍ଷେପ । ଏହି ସବୁ ଅଞ୍ଚଳରେ ଡେଙ୍ଗୁରା ପିଟି ସେମାନଙ୍କୁ ପଳାତକ ଘୋଷଣା କରିବା ସହ ଆଗାମୀ ସାତ ଦିନ ମଧ୍ୟରେ ଥାନାରେ କିମ୍ବା କୋର୍ଟରେ ହାଜର ନହେଲେ ସେମାନଙ୍କ ସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜପ୍ତ ହେବ ବୋଲି କହିଛି ପୋଲିସ । ତେବେ ପୋଲିସର ଏହି ପଦକ୍ଷେପ ପରେ ଏବେ ଫେରାର ଅପରାଧୀ ଧରା ପଡିବେ ବୋଲି କୁହାଯାଉଛି ।