ଓଡିଶା

odisha

ETV Bharat / state

ସିନେମା ହଲରେ ଗଣ୍ଡଗୋଳ ଘଟଣା, ସାଲୁଜାଙ୍କ ପୁଅଙ୍କ ପରେ ଆଉ ୬ ଗିରଫ

ବଲାଙ୍ଗୀର ସିନେମା ହଲରେ ଗଣ୍ଡଗୋଳ ଘଟଣା । କଣ୍ଟାବାଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ଗିରଫ କରିବା ପରେ ଆଉ ୬ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବିଧାୟକ । ଅଧିକ ପଢନ୍ତୁ

Santosh singh saluja son
Santosh singh saluja son

By

Published : Feb 3, 2023, 3:42 AM IST

ସିନେମା ହଲରେ ଗଣ୍ଡଗୋଳ ଘଟଣା, ସାଲୁଜାଙ୍କ ପୁଅଙ୍କ ପରେ ଆଉ ୬ ଗିରଫ

ବଲାଙ୍ଗୀର:ଜିଲ୍ଲାର ଏକ ସିନେମା ହଲରେ ଗଣ୍ଡଗୋଳ, ଦାଦାବାଟି ଆଦାୟ କରିବା ଅଭିଯୋଗରେ ପ୍ରଥମେ କଣ୍ଟାବାଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂହଙ୍କୁ ଗିରଫ କରାଯାଇଥିଲା । ଏବେ ଘଟଣାରେ ଆଉ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସମସ୍ତଙ୍କ ବିରୋଧରେ ଦାଦାବଟି, ହତ୍ୟା ଉଦ୍ୟମ, ସରକାରୀ କର୍ମଚାରୀଙ୍କୁ କାମରେ ବାଧା ଦେବା ଭଳି ସଙ୍ଗୀନ ଦଫା ଲାଗିଛି । ଅନ୍ୟପଟେ ବିଧାୟକ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି ।

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଧମକ, ହତ୍ୟା ଉଦ୍ୟମ, ଦାଦାବଟି ମାଗିବା ଭଳି ବିଭିନ୍ନ ୧୦ଟି ଦଫା ଲାଗିଛି। ତେବେ ଗତକାଲି ରାତିରେ ବଲାଙ୍ଗୀର ବେଳପଡ଼ା ଥାନା ଅଞ୍ଚଳରେ ଥିବା ଏକ ସିନେମା ହଲ ମାଲିକଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ବେଲପଡା ପୋଲିସ । ସିନେମା ହଲ ମାଲିକ ପବନ ଅଗ୍ରୱାଲଙ୍କ ଭାଇ ରମେଶ ଅଗ୍ରୱାଲ ବେଲପଡ଼ା ଥାନାରେ ଏମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଯେଉଁଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ୍ ସିଂହ ସାଲୁଜା ତାଙ୍କର କିଛି ସହଯୋଗୀ ସହ ଆସି ସିନେମା ହଲରେ ଗଣ୍ଡଗୋଳ କରିଥିଲେ।

ସେହିପରି ବନ୍ଧୁକ ମୁନରେ ମାଲିକଙ୍କୁ ଦାଦାବଟି ମାଗିଥିଲେ ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ମାଲିକଙ୍କୁ ବନ୍ଧୁକ ମୁନରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ସିନେମା ହଲ ମାଲିକ ପବନ ଅଗ୍ରୱାଲ ଆହତ ମଧ୍ୟ ହୋଇଥିବାର ଏଥିରେ ଦର୍ଶାଯାଇଛି । ତେବେ ଏହାକୁ ଆଧାର କରି ବେଲପଡ଼ା ପୋଲିସ ରାତିରେ ଏମାନଙ୍କୁ ଧରିଥିଲା । ସେହିପରି ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଅଭିଯୁକ୍ତ ତଥା ସାଲୁଜାଙ୍କ ପୁଅ କରିଥିବା ଏକ ଜିମ୍‌ରୁ ପୋଲିସ ୧୭ ଲିଟରରୁ ଊର୍ଦ୍ଧ୍ବ ବିଦେଶୀ ମଦ ସହ ସେଠାରୁ ୧୯ ଲକ୍ଷ ଟଙ୍କା ନଗଦ ଜବତ କରିଛି ।

ଏହା ବି ପଢନ୍ତୁ-ସିନେମା ହଲ୍‌ରେ ଗଣ୍ଡଗୋଳ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ତେବେ ଏଥିରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ସେଜୀ ଓରଫ ଅମିତ୍ ସିଂହ ସାଲୁଜାଙ୍କ ସମେତ ତାଙ୍କର ସହଯୋଗୀ ଅଜୟ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ବିପୁଳ ମାରୁ, ସିର୍ଷା ହରିୟାଣାର ଧରମବୀର ଗୁପ୍ତା ଓ ଜିମ୍ ମ୍ୟାନେଜର ରାଜା ପାତ୍ରକୁ ପୋଲିସ ଗିରଫ କରିଛି । ଏମାନଙ୍କ ନାଁରେ ଡକାୟତି ଦଫା ୩୯୫, ଦାଦାବଟି ପାଇଁ ଆକ୍ରମଣ ଦଫା ୩୮୪, ହତ୍ୟା ଉଦ୍ୟମ ଦଫା ୩୦୭, ଗାଳିଗୁଲଜ ଦଫା ୫୦୬, ସର୍ବସମ୍ମୁଖରେ ଅପମାନ ଦେବା ଦଫା ୨୯୪, ଘରେ ପଶି ଆକ୍ରମଣ କରିବା ଦଫା ୪୫୨, ସରକାରୀ ତଥା ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା ଦଫା ୩୪୧ ଓ ୩୪୨ ସହ ଆଇପିସି ୨୫/୨୭ରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି ।

ସେହିପରି ଜିମ ମ୍ୟାନେଜର ରାଜା ପାତ୍ରଙ୍କ ବିରୋଧରେ ଓଡ଼ିଶା ଏକ୍ସସାଇଜ ଆଇନ ୫୨ ଦଫା ଲଗାଇ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ SDPO ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ସେପଟେ ଏହାକୁ ନେଇ ମୁହଁ ଖୋଲିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ଏହାକୁ ତାଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । ତେବେ ସିନେମା ହଲ ମାଲିକାନାର ଅଂଶୀଦାର ଜଣେ ପୋଲିସ ଡିଜି ଥିବାବେଳେ ସେ ଭୁବନେଶ୍ବରରୁ ଏହି ନିର୍ଦ୍ଦେଶ ଦେଇଥିବା କଥା ସେ କହିଛନ୍ତି ।

ବିଭିନ୍ନ ମିଛ ମାମଲା ଲଗାଇ ୬ଜଣ ନିରୀହଙ୍କୁ ବାନ୍ଧିଥିବାର ସେ କହିଛନ୍ତି । ସମାନ ଭାବରେ ବଲାଙ୍ଗୀର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ପୋଲିସ ସମ୍ଭାଳି ପାରୁ ନାହିଁ । ପ୍ରତ୍ୟେକ ଦିନ କିଛି ବଡ଼ ଅପରାଧ ଘଟୁଛି । ଯେଉଁଥିରେ ପୋଲିସ ବିଫଳ ଥିବା ବେଳେ ସାଧାରଣ କଥାକୁ କେନ୍ଦ୍ର କରି ନିରୀହ ଲୋକଙ୍କ ନାଁରେ ମାଳମାଳ କେସ ଦେଉଛି ବୋଲି ସାଲୁଜା କହିଛନ୍ତି । ସମାନ ଭାବରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ନିଜେ ପୋଲିସ ସାମିଲ ଥିବା ବେଳେ ଏହାକୁ ଲୋକଙ୍କ ମନରୁ ହଟାଇବା ପାଇଁ ତାଙ୍କ ଉପରେ ଏହି ଷଡ଼ଯନ୍ତ୍ର କରିଥିବାର ସେ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details