ବଲାଙ୍ଗୀର:ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଟଙ୍କା ପାଇଁ ରାଜ୍ୟ ବାହାରେ ବନ୍ଧା ପଡ଼ିଛି ପରିବାର । ଦାଦନ ଦଲାଲ ଠାରୁ ଟଙ୍କା ଆଣି ଫେରାଇ ନପାରିବାରୁ ହାଇଦ୍ରାବାଦରେ ବନ୍ଧା ପଡିଛନ୍ତି ବଲାଙ୍ଗୀର ଅଞ୍ଚଳର ଦୁଇ ଭାଇ ଶକ୍ତି କୁମାର ନନ୍ଦ ଓ ଖାଜିରା ନନ୍ଦଙ୍କ ପରିବାର । ଏପରି ଅଭିଯୋଗ ଆଣି ଉଦ୍ଧାର ପାଇଁ ଦାବି କଲେ ଦୁଇ ଦାଦନ ଶ୍ରମିକ ।
ମିଳିଥିବା ସୂଚନା ଅନୁଯାୟୀ, ଦେଓଗାଁ ବ୍ଲଭଞ୍ଜ ପଡ଼ା ଗ୍ରାମର ଦୁଇ ଗରିବ ଭାଇ ଶକ୍ତି କୁମାର ନନ୍ଦ ଓ ଖାଜିରା ନନ୍ଦ ପେଟ ପାଟଣା ପାଇଁ କଣ୍ଟାବାଞ୍ଜିର ଜଣେ ଦାଦନ ଦଲାଲ ଠାରୁ ଅଗ୍ରୀମ ୧ ଲକ୍ଷ 95 ହଜାର ଟଙ୍କା ନେଇଥିଲେ । ସର୍ତ୍ତ ମୁତାବକ ସେମାନେ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ନେଇ ହାଇଦ୍ରାବାଦ ଇଟା ଭାଟିକୁ ଯାଇଥିଲେ । ସେଠାରେ କିନ୍ତୁ ପହଞ୍ଚିବା ପରେ ଭାଟି ମାଲିକ ଏବେ ତାଙ୍କ ପାଇଁ କାମ ନ ଥିବା କହିବା ସହ ଫେରି ଯିବାକୁ କହିଥିଲା । ଏଥି ସହ ଅଗ୍ରୀମ ନେଇଥିବା ଟଙ୍କା ଫେରସ୍ତ କରିବାକୁ କହିଥିଲା । କିନ୍ତୁ ଧାର ଟଙ୍କା ଖର୍ଚ୍ଚ ହୋଇଯାଇଥିବା କହି କାମ କରିବାକୁ ଭାଟି ମାଲିକଙ୍କୁ ନେହୁରା ହୋଇଥିଲେ ଦୁଇ ଭାଇ । ଏକଥା ଶୁଣିବା ପରିବର୍ତ୍ତେ ଭାଟି ମାଲିକ ଦୁଇ ଭାଇଙ୍କ ପରିବାରର ଦୁଇ ମହିଳା ଜଣେ ଶିଶୁ ଓ ଦୁଇଜଣ ପୁରୁଷକୁ ବନ୍ଦୀ କରିଥିବା ଜଣାପଡିଛି । ଧାର ଟଙ୍କା ଫେରସ୍ତ କଲା ପରେ ତାଙ୍କୁ ଭାଟି ମାଲିକ ଛାଡ଼ିବ ବୋଲି କହିଥିବା କହିଛନ୍ତି ଦାଦନ ଶ୍ରମିକ ।
ଏହାମଧ୍ୟ ପଢ଼ନ୍ତୁ.ତେଲେଙ୍ଗାନାକୁ ହେଉଥିଲା ଦାଦନ ଚାଲାଣ, 44 ଜଣକୁ ଉଦ୍ଧାର କରିଲା ପୋଲିସ
ସେପଟେ ଦୁଇ ଗରିବ ଭାଇ ଏବେ ବଲାଙ୍ଗୀର ଆସି ଘରେ ଥିବା ସାମଗ୍ରୀ ବିକ୍ରି କରି ଭାଟି ମାଲିକକୁ 1 ଲକ୍ଷ 32 ହଜାର ଟଙ୍କା ଫେରସ୍ତ କରିଥିଲେ । ହେଲେ ଏହା ସତ୍ତ୍ବେ ମଧ୍ୟ ଭାଟି ମାଲିକ ସମ୍ପୂର୍ଣ ଟଙ୍କା ନ ପାଇବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ଛାଡ଼ିବ ନାହିଁ ବୋଲି ରୋକ ଠୋକ ମନା କରିଦେଇଛି । ସେପଟେ ଏବେ ଏହି ଦୁଇ ଭାଇ ଅସହାୟ ହୋଇ ଜିଲ୍ଲା ପ୍ରଶାସନ ଓ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଏବଂ ଗାଁ ଗାଁ ବୁଲି ଟଙ୍କା ସାହାଯ୍ୟ ମାଗୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏମାନଙ୍କର ଅଭିଯୋଗ ଉପରେ ଏଯାଏଁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏପରିକି ଦୁଇ ଭାଇଙ୍କ ପରିବାରକୁ ଉଦ୍ଧାର କରିବା ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ବଲାଙ୍ଗୀର ରେଳ ଷ୍ଟେସନରୁ 28 ଦାଦନ ଉଦ୍ଧାର
ସୂଚନାନୁସାରେ, ବଲାଙ୍ଗୀରରେ ଧାନ ଅମଳ ସରିବା ପରେ ଲୋକଙ୍କ ହାତରେ କାମଧନ୍ଦା ନଥାଏ । ଫଳରେ ପେଟପାଟଣା ପାଇଁ ଲୋକ ଦାଦନ ଖଟିଯିବା ଆରମ୍ଭ କରିଛନ୍ତି । ସେପଟେ ଏହାକୁ ରୋକିବାକୁ ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଉଛି । ଜିଲ୍ଲାରେ ଗତ ୨ ମାସ ମଧ୍ୟରେ ପୋଲିସ ଦାଦନ ଚାଲାଣ ନେଇ ବିଭିନ୍ନ ଥାନାରେ ମୋଟ 40ରୁ ଅଧିକ ମାମଲା ରୁଜୁ କରିଛି । ସେହିପରି 7ଶହରୁ ଅଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 65ଜଣ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରିଛି । ତଥାପି ପ୍ରତ୍ୟେକ ଦିନ ଦାଦନଙ୍କୁ ଦଲାଲମାନେ ନିର୍ଭୟରେ ଶ୍ରମିକ ଚାଲାଣ କରୁଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର