ବଲାଙ୍ଗୀର: କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ପାଇଁ ଦିଶା ବୈଠକ ଅନୁଷ୍ଠିତ ହେବାକୁ ଥିଲା । ଜିପିଏସ ସମ୍ମିଳନୀ କନଫରେନ୍ସ ହଲରେ ବୈଠକ ବସିଥାନ୍ତା । ହେଲେ ବୈଠକ ପାଇଁ ବ୍ୟବସ୍ଥା ହୋଇଥିଲା ପଞ୍ଚାୟତ ସାଧନ କେନ୍ଦ୍ରରେ । ଏପରି ବୈଠକରେ ସାମିଲ ହେବାକୁ ସାଂସଦ ମଧ୍ୟ ପହଞ୍ଚିଯାଇଥିଲେ । ହେଲେ ପହଞ୍ଚିନଥିଲେ ଜିଲ୍ଲାପାଳ ଚଞ୍ଚଳ ରଣା । ଯାହକୁ ନେଇ ପିଡି ଡିଆରଡିଏ ସୁଶାନ୍ତ କୁମାର ସିଂଙ୍କ ଉପରେ ଜୋରଦାର ବର୍ଷିଲେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ।
ଆଜି ବଲାଙ୍ଗୀର ଜିପିଏସ ସମ୍ମିଳନୀ କକ୍ଷରେ ଦିଶା ବୈଠକ ହେବାର ଥିଲା । ସମୟ ଅନୁସାରେ ଏହାର ଅଧ୍ୟକ୍ଷ୍ୟା ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ବୈଠକରେ ପହଞ୍ଚି ଥିଲେ । ହେଲେ ସେଠାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଦେଖି ସେ ରାଗି ଯିବା ସହ ଉପସ୍ଥିତ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ସେଠାରୁ ସାଂସଦ ଜିଲ୍ଲା ସର୍କିଟ ହାଉସକୁ ପଳାଇଥିଲେ । ପରବର୍ତ୍ତୀ ସମୟରେ ବଲାଙ୍ଗୀର ଜିଲ୍ଲାପାଳ ସର୍କିଟ ହାଉସ ଆସି ସମସ୍ତ ଅଧିକାରୀଙ୍କୁ ସେଠାକୁ ଡାକି ବୈଠକ ଆରମ୍ଭ କରାଇଥିଲେ । ତେବେ ବୈଠକରେ ସାଂସଦ ସଂଗୀତା ସିଂହଦେଓ ମନମୁଖୀ ଜିଲ୍ଲା ବିକାଶ କାମ ଉପରେ ଅନୁଧ୍ୟାନ ନକରି ନିଜର ଏଜେଣ୍ଡା ଚଳାଇଥିବାର ଅଭିଯୋଗ କରିଥିଲେ । ବିଭିନ୍ନ ବ୍ଲକ ଅଧ୍ୟକ୍ଷ ବୈଠକର ଏଜେଣ୍ଡା ବାହାରେ ବେଆଇନ ଭାବରେ ସାଂସଦ ବୈଠକ କରୁଥିବାର ଅଭିଯୋଗ କରି ବ୍ଲକ ଅଧ୍ୟକ୍ଷମାନେ ବୈଠକ ଅଧାରୁ ବୟକଟ କରି ଯାଇଥିଲେ । ସାଂସଦ ଜିଲ୍ଲା ବିକାଶ କାମ ଉପରେ ଅନୁଧ୍ୟାନ ନକରି ତାଙ୍କର କାମ କରୁଥିବାର ଅଭିଯୋଗ କରିଛନ୍ତି ଦେଓଗାଁ ଓ ଲୋଇସିଂହା ବ୍ଲକର ଅଧ୍ୟକ୍ଷ ।
ସେହିପରି ବ୍ଲକ ଅଧ୍ୟକ୍ଷ ମାନେ କହିଛନ୍ତି ଦିଶା ବୈଠକରେ ତାଙ୍କୁ କିଛି କହିବାକୁ ସୁଯୋଗ ମିଳୁନାହିଁ । ଅଭିଯୋଗ କଲେ ବି କେହି ଶୁଣି ନ ଥିବାର ଏମାନେ ଅଭିଯୋଗ କରିଛନ୍ତି । ଓଲଟା ସାଂସଦ ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ‘ନସେନ୍ସ’ ଭଳି ଶବ୍ଦ ପ୍ରୟୋଗ କରି ବ୍ଲକ ଅଧ୍ୟକ୍ଷଙ୍କୁ ଗାଳି କରିଥିବା ଅଭିଯୋଗ ହୋଇଛି । ଯଦିଓ ବ୍ଲକ ଅଧ୍ୟକ୍ଷମାନେ ଦିଶା କମିଟି ର ଜଣେ ଲେଖାଏଁ ସଦସ୍ୟ ଅଟନ୍ତି ତଥାପି ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ କରିବାକୁ ସୁଯୋଗ ନଦେବା ଯୋଗୁଁ ବ୍ଲକ ଅଧ୍ୟକ୍ଷମାନେ ବୈଠକକୁ ବୟକଟ କରିଥିବା କହିଛନ୍ତି ।