ବଲାଙ୍ଗୀର: ବଲାଙ୍ଗୀରରେ ଜାନୁଆରୀ 7 ତାରିଖରୁ ଆରମ୍ଭ ହେବାକୁ ଯାଉଛି 15ତମ ସର୍ବଭାରତୀୟ ମଠଖାଇ ନାଟ୍ୟ ମହୋତ୍ସବ । ୫ ଦିନ ଧରି ଚାଲିବ ଏହି ନାଟ୍ୟ ମହୋତ୍ସବ । ତେବେ ଚଳିତ ବର୍ଷ ଏହି ମହୋତ୍ସବରେ କେବଳ ଆଞ୍ଚଳିକ ନାଟକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ସବୁ ବର୍ଷ ବାହାର ବହୁଭାଷୀ ନାଟ ଉପରେ ଅଧିକ ଫୋକସ କରାଯାଇଥିବା ବେଳେ ଆଞ୍ଚଳିକ ଭାଷା ତଥା କୋଶଳୀ ଭାଷାରେ ନାଟକ ଧୀରେଧୀରେ ବନ୍ଦ ହୋଇ ଯାଉଛି । ତେଣୁ ଏଥର କେବଳ କୋଶଳୀ ଭାଷା ଉପରେ ଆଞ୍ଚଳିକ ନାଟକ ପ୍ରଦର୍ଶିତ କରାଯିବ ।
ତେବେ ବହୁଭାଷୀ ନାଟକ ଦ୍ଵାରା ଆଞ୍ଚଳିକ ଭାଷାର ନାଟକ ବହୁଳ ଭାବରେ ପ୍ରଚାର ପ୍ରସାର ହୋଇ ପାରୁନାହିଁ । ଏଥିପାଇଁ ଏଥର କେବଳ ଆଞ୍ଚଳିକ ଭାଷା ଉପରେ ନାଟକ ପରିବେଷଣ କରାଯିବ । ଏଥିସହ ଦିବଙ୍ଗତ ଅଭିନେତା ଓ ଅଭିନେତ୍ରୀଙ୍କ ନାଁରେ ପ୍ରତିଦିନ ମଞ୍ଚକୁ ଉତ୍ସର୍ଗ କରାଯିବ । ସେହିପରି ଅଞ୍ଚଳର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି । ସେପଟେ ମଠଖାଇ ନାଟ୍ୟ ମହୋତ୍ସବକୁ ସଫଳ କରିବାକୁ ସମସ୍ତେ ଅପିଲ କରିଛନ୍ତି ।
ତେବେ ଏନେଇ ମଠଖାଇ ନାଟ୍ୟ ମହୋତ୍ସବର ଆୟୋଜକ ଭୂମିକା ସଂଗଠନର ସଭାପତି ଚିତ୍ତ ଦାସ କହିଛନ୍ତି ଯେ, ଏଥର କୋଶଳୀ ନାଟକ ଉପରେ ଗୁରୁତ୍ୱ ଦିଆଯାଇଛି । ହଜି ଯାଉଥିବା କୋଶଳୀ ନାଟକ ପରମ୍ପରାକୁ ପୁନର୍ଜୀବିତ କରା ଯିବାର ଉଦ୍ଦେଶ୍ୟ ରହିଛି । ସେହିପରି ଏଥର ପ୍ରତ୍ୟେକ ଦିନ ଦୁଇଟି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦୁଇଟି ନାଟକ ମଞ୍ଚସ୍ଥ ହେବ । ଏଥିସହ ସେମିନାର ଓ ନାଟକ କଳା ଉପରେ ଆଲୋଚନା ମଧ୍ୟ ହେବ ବୋଲି ସେ କହିଛନ୍ତି ।