ବଲାଙ୍ଗୀର: ସହର ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଆଜି 4 ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଗତ 3 ତାରିଖରେ ସହର ମଧ୍ୟରେ 2ଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ 2 ଜଣ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିଲା । ଯାହାକୁ ନେଇ ସାରା ସହର ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।
ଆଜି 4 ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ବଲାଙ୍ଗୀର ରାଜୀବ ନଗରର ଗରିବ ପାଣ୍ଡେ ଓ ଟୁନା ପାଢୀଙ୍କ ବଲାଙ୍ଗୀର ମାଲଗୋଦାମ ପଡାର ନିରାଜ ହରପାଳ ସୁରଜ ହରପାଳ ଓ ନିରାକାର ବାଗ ସହିତ ପୂର୍ବରୁ ଶତ୍ରୁତା ଥିଲା । ଏହି ଶତ୍ରୁତାର ସମାଧାନ ପାଇଁ ଏମାନେ କଥା ହୋଇ ବଲାଙ୍ଗୀର କଂସାରୀ ପଡାରେ ଭେଟ ହୋଇଥିଲେ। ହେଲେ ଏହା ସମାଧାନ ପରିବର୍ତ୍ତେ ରକ୍ତାକ୍ତ ସଂଘର୍ଷରେ ସମାପ୍ତ ହୋଇଥିଲା । ଯେଉଁଥିରେ ଗରିବ ପାଣ୍ଡେ ଓ ଟୁନା ପାଢୀ ଗୁରୁତର ଆହତ ହୋଇ ପ୍ରଥମେ ବଲାଙ୍ଗୀର ମେଡ଼ିକାଲ କଲେଜ ପରେ ବୁର୍ଲାରେ ଭର୍ତ୍ତି ହୋଇଛନ୍ତି ।