ବଲାଙ୍ଗୀର:ଜାଲ ସାର୍ଟିଫିକେଟ ରାକେଟ ନେଇ ବଲାଙ୍ଗୀରେ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ । ତଦନ୍ତର ଚତୁର୍ଥ ଦିନରେ ଜିଲ୍ଲାର ମୁଖ୍ୟ ଡାକ ବିଭାଗରୁ ସବିଶେଷ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଟିମ । ସେଠାକାର ଅଧିକାରୀ ଓ ଅଧିକ୍ଷକଙ୍କ ସହ ଏହାକୁ ନେଇ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇଥିଲା । ସେହିପରି କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ମଙ୍ଗଳବାର ବଲାଙ୍ଗୀର ଏସଡିଜେ ଏମ କୋର୍ଟରେ ଆବେଦନ କରିଥିଲା । ତେବେ କୋର୍ଟ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା ସହିତ ଦୁଇ ସାର୍ଟିଫିକେଟ ଧାରୀଙ୍କୁ ତିନି ଦିନିଆ ରିମାଣ୍ଡକୁ ମଞ୍ଜୁର କରିଥିଲେ । ତିନି ଦିନ ଧରି ଏହି ଚାରି ଅଭିଯୁକ୍ତଙ୍କୁ ଜାଲ ସାର୍ଟିଫିକେଟ ରାକେଟ ବାବଦରେ ପଚରାଉଚରା କରାଯିବ ।
ବୁଧବାର କ୍ରାଇମବ୍ରାଞ୍ଚ ଏହି ଚାରି ଜଣଙ୍କୁ ଜିଲ୍ଲା ମୁଖ୍ୟ କାରାଗାରରୁ ନିଜ ହେପାଜତକୁ ନେଇଥିଲା କ୍ରାଇମବ୍ରାଞ୍ଚ । ଏମାନଙ୍କୁ ବଲାଙ୍ଗୀର ରିଜର୍ବ ପୋଲିସ ବାରାକରେ ରଖି କ୍ରାଇମବ୍ରାଞ୍ଚ ଅଧିକ ପଚରାଉଚରା କରିବ । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ତଥା ଆଲୋକ ଉଦଗାତା କେମିତି ଏହି ଧନ୍ଦା ଆଠ ବର୍ଷ ହେଲା ଚାଲୁ ରଖିଥିଲେ ତାହାର ଖିଅ ଖୋଜିବ କ୍ରାଇମବ୍ରାଞ୍ଚ ଟିମର ସଦସ୍ୟ । ଦୁଇ ସାର୍ଟିଫିକେଟ ଧାରୀ ଓ ମୁଖ୍ୟ ଅଭିଯୁକ୍ତକୁ ସାମ୍ନାସାମ୍ନୀ ଜେରା କରାଯିବ ବୋଲି ସୂଚନା ମିଳିଛି । ତେବେ କିପରି ଏହି ରାକେଟ କେଉଁ କେଉଁ ରାଜ୍ୟରେ ସକ୍ରିୟ ଥିଲା ? କେତେ ଲୋକ ଏଠୁ ଜାଲ ସାର୍ଟିଫିକେଟ କିଣିଛନ୍ତି ? ଏହା ମଧ୍ୟରେ କିଏ ଏମାନଙ୍କର ଦଲାଲ ଥିଲେ ଏବଂ ଏଥିରେ କେମିତି କୋଟି କୋଟି ଟଙ୍କାର କାରବାର ହେଉଥିଲା ତାର ତଦନ୍ତ କରାଯିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।