ବଲାଙ୍ଗୀର ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରୀ କରିବା ପଡ଼ିଲା ମହାଙ୍ଗା ବଲାଙ୍ଗୀର: ଲମ୍ବୁଛି ନକଲି ସାର୍ଟିଫିକେଟ ଚେର । ବଲାଙ୍ଗୀରରେ ନକଲି ସାର୍ଟିଫିକଟ ଦେଇ ଚାକିରି ହାତେଇଥିବା ଶିକ୍ଷକମାନଙ୍କୁ ପଡ଼ିଲା ମାହାଙ୍ଗା । ଚାରି ଜଣ ଶିକ୍ଷକ ଚାକିରିରୁ ବହିଷ୍କାର କଲେ ଡିଇଓ । 4ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ 3ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି ।
ଅଧିକ ପଢନ୍ତୁ: Fake Certificate: 'ଏହାର ଚେର ବହୁତ ଲମ୍ବା, ବହୁତ ଗଭୀର'
ସୂଚନା ଅନୁଯାୟୀ, ବଲାଙ୍ଗୀରରେ ନକଲି ସାର୍ଟିଫିକେଟ କେଲେଙ୍କାରି ମାମଲାରେ ନକଲି ସାର୍ଟଫିକେଟ ଦେଇ ଶିକ୍ଷକ ଚାକିରି ହୋଇଥିବା 4 ଜଣଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ବିଭିଗ ତରଫରୁ ଆଭିଯୋଗ ହୋଇଥିଲା । ଯାଞ୍ଚରେ 4ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣାପଡ଼ିବା ପରେ ଶିକ୍ଷା ବିଭାଗ ଏମାନଙ୍କୁ ଚାକିରିରୁ ବହିଷ୍କାର କରିଛି । ଏପରିକି ଜାଲ ସାର୍ଟିଫିକେଟ୍ର ଦୁଇ ମାଷ୍ଟରମାଇଣ୍ଡ୍ ବଲାଙ୍ଗୀରରୁ ଗିରଫ ମଧ୍ୟ ହୋଇଥିଲେ ।
ବଲାଙ୍ଗୀର ଡିଇଓ ଧ୍ରୁବ ଚରଣ ବେହେରା କହିଛନ୍ତି, "ନକଲି ସାର୍ଟିଫିକେଟ କେଲେଙ୍କାରିରେ ଅନେକ ଅଯୋଗ୍ୟ ଟଙ୍କା ବଳରେ ଜାଲ ସାର୍ଟିଫିକେଟ କିଣି ଚାକିରି କରୁଥିବା ଜଣା ପଡିଥିଲା । ଯେଉଁଥିରେ ବଲାଙ୍ଗୀର ଶିକ୍ଷା ବିଭାଗରେ ମଧ୍ୟ କିଛି ଶିକ୍ଷକ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ଜିଲ୍ଲାର ସବୁ ଶିକ୍ଷକମାନଙ୍କର ସାର୍ଟିଫିକେଟ ଯାଞ୍ଚ କରା ଯାଇଥିଲା । ଯାହା ପାଇଁ ଏକ କମିଟି ସବୁ ସାର୍ଟିଫିକେଟ ଯାଞ୍ଚ କରିବା ସହ ବିଭିନ୍ନ ରାଜ୍ୟର ବୋର୍ଡ ଓ ୟୁନିଭର୍ସିଟିକୁ ସବୁ ସାର୍ଟିଫିକେଟର ବୈଧତା ଯାଞ୍ଚ ପାଇଁ ପଠାଇଥିଲା । ଯେଉଁଥିରେ ଜିଲ୍ଲାର ବିଭିନ୍ନ ସ୍କୁଲରେ ଦୀର୍ଘ ବର୍ଷରୁ ଚାକିରି କରୁଥିବା ଚାରି ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣା ପଡିଥିଲା । ଏହି ନକଲି ସାର୍ଟିଫିକେଟ ମାମଲାରେ, ବଲାଙ୍ଗୀର ବଙ୍ଗୋମୁଣ୍ଡା ଉଚ୍ଚ ବାଳିକା ବିଦ୍ୟାଳୟର ଅମଲା ଟପ୍ପୋ, ସଇଁତଳା ବ୍ଲକ୍ ଗଣ୍ଡ ପତ୍ରାପାଲି ହାଇସ୍କୁଲର ସଞ୍ଜିତ ପାଣି ମହାନନ୍ଦ, ବେଲାପଦା ବ୍ଲକ ସୁଲେକେଲା ଗ୍ରାମର ଧରମସିଂହ ହାଇସ୍କୁଲର ଶିକ୍ଷକ ବିରଞ୍ଚି ପ୍ରସାଦ ନାୟକ ଓ ବଲାଙ୍ଗୀର ପୂଇନ୍ତଲା ବ୍ଲକ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ଣମୟୀ ପଣ୍ଡା ଧରା ପଡିଥିଲେ ।"
ସେ ଅହୁରୀ ମଧ୍ୟ କହିଛନ୍ତି , "ଏମାନେ ରାଜ୍ୟ ବାହାରୁ ବିଇଡି ସାର୍ଟିଫିକେଟ ତଥା ମ୍ୟାଟ୍ରିକ୍ ସାର୍ଟିଫିକେଟ ଦେଇଥିବାର ଜଣା ପଡ଼ିଥିଲା । ନକଲି ସାର୍ଟିଫିକେଟକୁ ନେଇ ଚାକିରି କରିଥିବା ଶିକ୍ଷକଙ୍କ ନାମରେ ପୋଲିସ ପାଖରେ ଲିଖିତ ଅଭିଯୋଗ କରାଯାଇଥିଲା । ଯାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ରଣ୍ଡା ହାଇସ୍କୁଲର ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।" ସେପଟେ ଏଥିରେ ଅନ୍ୟମାନେ ଏବେବି ଫେରାର ଥିବା ବେଳେ ପୋଲିସ୍ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ।
ଇଟିଭି ଭାରତ, ବଲାଙ୍ଗୀର