ଓଡିଶା

odisha

By

Published : Feb 24, 2023, 10:49 AM IST

ETV Bharat / state

ମଦ ପିଇ ସ୍କୁଲରେ ମାତାଲ ଶିକ୍ଷକ, ଦରମା ବନ୍ଦ କଲା ଶିକ୍ଷା ବିଭାଗ

ମଦ ପିଇ ସ୍କୁଲ ଆସିବା ପରେ ଶିକ୍ଷକଙ୍କ ଭିଡିଓ ହେଲା ଭାଇରାଲ। ଶିକ୍ଷକଙ୍କ ଦରମା ବନ୍ଦ କଲା ଜିଲ୍ଲା ଶିକ୍ଷା ବିଭାଗ। ଅଧିକ ପଢନ୍ତୁ

drunk teacher video viral
drunk teacher video viral

drunk teacher video viral

ବଲାଙ୍ଗୀର: ମଦ ପିଇ ସ୍କୁଲରେ ମାତାଲ ଶିକ୍ଷକ । ପାଠ ପଢାଇବାକୁ ଆସି ନିଶାରେ ଟଳମଳ ଶିକ୍ଷକ । ଭିଡିଓ ଭାଇରାଲ ପରେ ସଂପୃକ୍ତ ଶିକ୍ଷକଙ୍କ ହେଲା ଦରମା ବନ୍ଦ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଗୁଡଭେଲା ବ୍ଲକ ଅନ୍ତର୍ଗତ ତାଣ୍ଡିଗା ପ୍ରାଥମିକ ବିଦ୍ୟାଳୟରେ । ଏଠାରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ ଅର୍ଜୁନ ଘଡେ଼ଇ ପିଲାଙ୍କୁ ପାଠ ପଢାଇବା ବଦଳରେ ମଦ ପିଇ ସ୍କୁଲ ଆସୁଛନ୍ତି । ଏକ ଚେୟାର ବସି ନିଶାରେ ଟଳମଳ ହେଉଥିବା ବେଳେ ଗ୍ରାମବାସୀ ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଶିକ୍ଷକ ଜଣଙ୍କ ଚେୟାରରେ ମଦ ପିଇ ବସିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ କାହିଁକି ମଦ ପିଇ ସ୍କୁଲ ଆସୁଛ ବୋଲି ପ୍ରଶ୍ନ କରୁଛନ୍ତି । ଏହାପରେ ସେ ମଦ ପିଇ ନଥିବା କହୁଛନ୍ତି ଶିକ୍ଷକ। ସ୍କୁଲର ଛାତ୍ର ଛାତ୍ରୀଙ୍କୁ ମୁଁ ମଦ ପିଇଛି ନା ନାହିଁ ବୋଲି ମଧ୍ୟ ପଚାରୁଛନ୍ତି । ଭିଡିଓରେ ପିଲାଏ ମଧ୍ୟ ଶିକ୍ଷକ ମଦ ପିଉଥିବା କହୁଛନ୍ତି । ମଦ ପିଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାଡ ମାରୁଥିବା ମଧ୍ୟ ଭିଡିଓରେ ଅଭିଯୋଗ ହୋଇଛି । କେବଳ ଗୋଟିଏ ଦିନ ନୁହଁ ପ୍ରତ୍ୟେକ ଦିନ ପ୍ରଧାନ ଶିକ୍ଷକ ଅର୍ଜୁନ ଘଡେ଼ଇ ମଦ ପିଇ ସ୍କୁଲକୁ ଆସୁଥିବା କୁହାଯାଉଛି।

ଗ୍ରାମବାସୀ ଏହି ସବୁ ଘଟଣାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଏହି ଘଟଣାରେ ପ୍ରାଥମିକ ତଦନ୍ତ କରି ସଂପୃକ୍ତ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ଆଗକୁ ପ୍ରଧାନ ଶିକ୍ଷକଙ୍କ ବିରୋରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

ତେବେ ବଲାଙ୍ଗୀର ଜିଲ୍ଲାରେ ଶିକ୍ଷକ ମାନଙ୍କର ଏଭଳି କାର୍ଯ୍ୟକଳାପ ନୂଆ ନୁହେଁ । ପୂର୍ବରୁ ଶିକ୍ଷକଙ୍କ ଦ୍ଵାରା ଯୌନ ନିର୍ଯାତନା ଅଭିଯୋଗ, ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଏପରିକି ଗୁଡଭେଲା ବ୍ଲକରେ ଶିକ୍ଷକ ମାନେ ପାଠପଢା ସମୟରେ ଛାତ୍ର ଛାତ୍ରୀଙ୍କୁ ଇଟା ବୋହିବା ଭଳି କାର୍ଯ୍ୟ କରାଇଥିବା ଖବର ମଧ୍ୟ ନଜିର ରହିଛି । ଯେଉଁଥିରେ ସଂପୃକ୍ତ ଶିକ୍ଷକଙ୍କ ନାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା । ତେବେ ଏଭଳି ଘଟଣା ମାନ ବାରମ୍ବାର ଘଟୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ ।

ସରକାର ଶିକ୍ଷା ଭିତ୍ତି ଭୂମିକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କିଛି ହାତ ଗଣତି ଶିକ୍ଷକଙ୍କ ପାଇଁ ଉପାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥା ସଫଳ ହେବା ସମ୍ଭବ ହୋଇ ପାରୁନାହିଁ ବୋଲି ମତ ପ୍ରକାଶ ପାଇଛି । ସେପଟେ ସଂପୃକ୍ତ ମାତାଲ ପ୍ରଧାନ ଶିକ୍ଷକଙ୍କ ମାମଲାରେ ବଲାଙ୍ଗୀର ଶିକ୍ଷା ବିଭାଗ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇନାହିଁ । କିନ୍ତୁ ପ୍ରାଥମିକ ତଦନ୍ତ ପରେ ସଂପୃକ୍ତ ଶିକ୍ଷକଙ୍କ ଦରମା ବନ୍ଦ ହୋଇଥିବାର ଜଣା ପଡ଼ିଛି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details