ଓଡିଶା

odisha

By

Published : Jan 31, 2023, 9:04 PM IST

Updated : Jan 31, 2023, 10:07 PM IST

ETV Bharat / state

ପିଏମ୍ ଆବାସ ବିବାଦ: ଗ୍ରାମସଭା ବର୍ଜନ କଲେ ସରପଞ୍ଚ, ସରକାର ଶସ୍ତା ରାଜନୀତି କରୁଥିବା କହିଲେ ନରସିଂହ

ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଘନେଇବାରେ ଲାଗିଛି ପ୍ରଧାନମନ୍ତ୍ରୀ ଆବାସ ବିବାଦ । ଏନେଇ ବଲାଙ୍ଗୀର ଜିଲ୍ଲା ସରପଞ୍ଚ ସଙ୍ଘ ଆନ୍ଦୋଳନ ଜାରି ରଖିଥିବାବେଳେ ସମସ୍ତ ୩୧୭ଟି ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭାକୁ ବର୍ଜନ କରିଛନ୍ତି । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଜିଲ୍ଲାରେ ଘନୋଉଛି ପ୍ରଧାନମନ୍ତ୍ରୀ ଆବାସ ବିବାଦ
ବଲାଙ୍ଗୀର ଜିଲ୍ଲାରେ ଘନୋଉଛି ପ୍ରଧାନମନ୍ତ୍ରୀ ଆବାସ ବିବାଦ

ବଲାଙ୍ଗୀର ଜିଲ୍ଲାରେ ଘନୋଉଛି ପ୍ରଧାନମନ୍ତ୍ରୀ ଆବାସ ବିବାଦ

ବଲାଙ୍ଗୀର: ଜିଲ୍ଲାରେ ତୁଟୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଳି । ପ୍ରଶାସନ ଦ୍ବାରା ପ୍ରସ୍ତୁତ ତାଲିକାକୁ ନେଇ ଜାରି ରହିଛି ଅସନ୍ତୋଷ । ଏନେଇ ପୂର୍ବରୁ ଜିଲ୍ଲା ସରପଞ୍ଚ ସଙ୍ଘ ଆନ୍ଦୋଳନ କରୁଥିବାବେଳେ ଆଗକୁ ମଧ୍ୟ ଏମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ସରପଞ୍ଚ ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରି ଆଗାମୀ ଦିନରେ ଲୋକେ ଏହାର ସଠିକ ଜବାବ ଦେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଣ୍ଟନ ପ୍ରକ୍ରିୟାରେ ପ୍ରସାଶନିକ ମନମୁଖୀ କାର୍ଯ୍ୟକଳାପ ଚାଲିଥିବାର ସରପଞ୍ଚମାନେ ପୂର୍ବରୁ ଅଭିଯୋଗ କରି ଆସୁଥିଲେ । ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରି ପ୍ରଶାସନ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ଯାଉଛି । ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିବେ ବୋଲି ଏମାନେ ଅଭିଯୋଗ ଆଣିଛନ୍ତି । ଏନେଇ ଆନ୍ଦୋଳନ ଜାରି ରହିଥିବାବେଳେ ଗତ ୨୬ ଜାନୁଆରୀରେ ହୋଇଥିବା ଗ୍ରାମସଭା ଗୁଡ଼ିକୁ ଏମାନେ ବର୍ଜନ କରିଥିଲେ । ସେହିପରି ଏମାନଙ୍କ ଦାବି ପୂରଣ ନହେବାରୁ ବଲାଙ୍ଗୀର ଜିଲ୍ଲା ସରପଞ୍ଚ ସଙ୍ଘ ଗତ ୩୦ ତାରିଖରେ ହୋଇଥିବା ସ୍ବତନ୍ତ୍ର ଗ୍ରାମସଭାକୁ ମଧ୍ୟ ଜିଲ୍ଲା ତମାମ ବର୍ଜନ କରିଥିଲେ । ଯେଉଁଥିରେ ୧୪ଟି ବ୍ଲକର ସମସ୍ତ ୩୧୭ଟି ପଞ୍ଚାୟତରେ ସବୁ ସରପଞ୍ଚ ଏହାକୁ ବର୍ଜନ କରିଛନ୍ତି ।

ସରକାରୀ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ୨୦୨୧ ଓ ୨୦୨୨ ବର୍ଷ ପାଇଁ ମୋଟ ୩୭ ହଜାର ୭୦୪ ଜଣ ଘର ପାଇବା ପାଇଁ ଅପେକ୍ଷା ତାଲିକାରେ ରହିଥିଲେ । ସେହିପରି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଜିଲ୍ଲାକୁ ଏଥର ୩୦ ହଜାର ୮୮୭ଟି ପ୍ରଧାନମନ୍ତ୍ରୀ ଆବାସର ଟାର୍ଗେଟ ଦେଇଥିଲେ । ସେପଟେ ଘର ଆବଣ୍ଟନ ପାଇଁ ସର୍‌ଜମିନ ତଦନ୍ତ ହେବା ସହ ଜିଓ ଟ୍ୟାଗ ହୋଇଥିବା ସ୍ଥାନ ଓ ହିତାଧିକାରୀଙ୍କ ସଂଖ୍ୟା ୩୬ ହଜାର ୭୧୬ ଥିଲା । ପ୍ରଶାସନ ବ୍ଲକ ବାରି ଏହି ଯୋଜନାରେ ଆବଣ୍ଟନ କରି ମୋଟ ୩୦ ହଜାର ୫୭୪ଟି ଘର ଦେବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି । ତେବେ ଚଳିତ ବର୍ଷ ଜିଲ୍ଲାରେ ୩୭ ହଜାର ୨୭୫ ଜଣ ହିତାଧିକାରୀ ଘର ପାଇଁ ଆବେଦନ କରିଥିଲେ ବୋଲି ସୂଚନା ମିଳିଛି । ସେପଟେ ଏହି ତାଲିକା କେବଳ ପ୍ରଶାସନ ତାର ମନମୁଖୀ କରି ଘର ବାଣ୍ଟିଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି । ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଥିବା ସେମାନେ କହିଛନ୍ତି ।

ସମାନ ଭାବରେ ବଲାଙ୍ଗୀର ସରପଞ୍ଚ ସଂଘର ସଦସ୍ୟ ତଥା ମାଗୁରବେଡା ଗ୍ରାମପଞ୍ଚୟତର ସରପଞ୍ଚ ସଞ୍ଜୟ ଗଡତିଆ ଜନ ପ୍ରତିନିଧିଙ୍କୁ ପ୍ରଶାସନ ଅଣଦେଖା କରିଥିବା କହିଛନ୍ତି । ତେବେ ଏମାନେ ପଞ୍ଚାୟତର ମୁଖ୍ୟ ସମସ୍ୟା ଚାଉଳ, ଭତ୍ତା ଓ ଘରକୁ ନେଇ ତାଙ୍କ ଲୋକେ ଭୋଟ ଦେଇଥିବାବେଳେ ଏବେ ସେମାନଙ୍କ କଥା ପ୍ରଶାସନ ନଶୁଣିବା ଫଳରେ ସରପଞ୍ଚମାନେ ଦୋଷ ବହନ କରୁଛନ୍ତି ବୋଲି ସେ କହିଛନ୍ତି । ଲୋକଙ୍କ ଆକ୍ରୋଶ ମଧ୍ୟ ସେମାନେ ଉଠାଉଥିବାର କହିଛନ୍ତି । ତେବେ ପ୍ରତ୍ୟକ ପଞ୍ଚାୟତରେ ୫୦ରୁ ଊର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀ ଥିବାବେଳେ ପ୍ରଶାସନ ମନମୁଖୀ କାର୍ଯ୍ୟ କରି ପଞ୍ଚାୟତକୁ ମାତ୍ର ୧୦-୧୨ଟି ଘର ମଞ୍ଜୁର କରିଥିବା ସେ କହିଛନ୍ତି । ଯାହାଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି । ଏହି କାରଣ ପାଇଁ ସେମାନେ ଗ୍ରାମସଭା ବର୍ଜନ କରି ଆସୁଥିବାବେଳେ ଆଗକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସରପଞ୍ଚ ସଂଘର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଏହି ବର୍ଜନ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି । ତେବେ ଏହି ଯୋଜନା ନୂଆ ନୁହେଁ । କେନ୍ଦ୍ର ସରକାର ପୂର୍ବର ଇନ୍ଦିରା ଗାନ୍ଧି ଆବାସ ଯୋଜନାର ନାମ ବଦଳାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରର ଦକ୍ଷତା ନଥାଇ ୨୦୨୪ ସୁଦ୍ଧା ସବୁ ଠି ପକ୍କା ଘର କରିବା ଘୋଷଣା କାହିଁକି କେନ୍ଦ୍ର ସରକାର କଲେ ବୋଲି ପ୍ରଶ୍ନ କରିଛନ୍ତି ।

ନରସିଂହ ମିଶ୍ର କହିଛନ୍ତି, "ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ଯୋଜନାର ନାମ ବଦଳାଇ ଅଯୋଗ୍ୟ ଲୋକଙ୍କୁ ଘର ଦେଇଛନ୍ତି । ରାଜ୍ୟ ସରକାର କାହିଁକି ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ପଦକ୍ଷେପ ନେଉନାହାନ୍ତି କିମ୍ବା ତାଙ୍କୁ ଜେଲରେ ପୁରାଉ ନାହାନ୍ତି । କେନ୍ଦ୍ର ସରକାର ଏହି ଯୋଜନାରେ ବିଫଳ ହେବା ପରେ ରାଜ୍ୟକୁ ଦୋଷ ଦେଉଛି । ସେହିପରି ରାଜ୍ୟ ସରକାର ବିଫଳ ହୋଇ କେନ୍ଦ୍ରକୁ ଦୋଷ ଦେଉଛନ୍ତି । ଉଭୟ ଶସ୍ତା ରାଜନୀତି କରୁଛନ୍ତି । ଆଗାମୀ ଦିନରେ ଲୋକ ଏହାର ଜବାବ ଦେବେ ।" ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଏବେ ବଲାଙ୍ଗୀର ରାଜନୀତି ସରଗରମ ରହିଛି । ଆଗକୁ ଏହା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jan 31, 2023, 10:07 PM IST

ABOUT THE AUTHOR

...view details