ବଲାଙ୍ଗୀର: ଜିଲ୍ଲାରେ ଏକ ରାଇସ ମିଲରେ ବେଆଇନ ଭାବରେ ମିଲିଂ କରି ଚାଷୀଙ୍କଠାରୁ ଲୁଟ୍ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ରାତି ଅଧିଆ ଚଢାଉ ପରେ ରାଇସ ମିଲ୍ରୁ ବିପୁଳ ପରିମାଣର ବେଆଇନ ଧାନ ଓ ଚାଉଳ ଜବତ କରିଛି ପ୍ରଶାସନ । ପୂର୍ବରୁ ଏନେଇ ବାରମ୍ବାର ଅଭିଯୋଗ ପରେ ଚେତିଛି ପ୍ରଶାସନ(District Administration Raid On Rice Meal) । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ଅଧିକାରୀମାନେ ଏହି ଚଢ଼ାଉ କିରଛନ୍ତି ।
ବଲାଙ୍ଗୀର ବେଲପଡ଼ାର ଶ୍ୟାମଜି ରାଇସ ମିଲ ନାଁରେ ଗୁରୁତର ଅଭିଯୋଗ ଆସିଛି । ଯାହାକୁ ନେଇ ରାତି ଅଧିଆ ଜିଲ୍ଲା ପ୍ରଶାସନ ଏହି ମିଲ୍ ଉପରେ ଚଢ଼ାଉ କରିଛି । ଏହି ମିଲ୍ରେ ହଜାର ହଜାର କ୍ଵିଣ୍ଟାଲ୍ର ଧାନ ଓ ଚାଉଳ ଗଚ୍ଛିତ ଥିବା ପ୍ରଶାସନିକ ଅଧିକାରୀଙ୍କ ଯାଞ୍ଚ ପରେ ଜଣାପଡ଼ିଛି । ପାଖାପାଖି ୫ ହଜାର କ୍ଵିଣ୍ଟାଲ ଧାନ ଓ ୨ ହଜାର କ୍ଵିଣ୍ଟାଲ ଚାଉଳ ରହିଛି । ଏବେ ପାଟଣାଗଡ ଉପଜିଲ୍ଲାପାଳ ମିଲ୍ରେ ତାଲା ପକାଇବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାଇସ ମିଲରେ ପଡିଲା ତାଲା, ବେଆଇନ ଧାନ-ଚାଉଳ ଜବତ ଗତକାଲି(ସୋମବାର) ଖପ୍ରାଖୋଲ ଯୋଗାଣ ଅଧିକାରୀ ବିକାଶ ବାରଲା ଓ ତହସିଲଦାର ଆଦିତ୍ୟ ମିଶ୍ର ଶ୍ୟାମଜି ରାଇସ ମିଲକୁ ଯାଞ୍ଚ ପାଇଁ ଯାଇଥିଲେ । ମିଲରେ ବହୁ ମାତ୍ରାରେ ବେଆଇନ୍ ଧାନ ଓ ଚାଉଳ ଗଚ୍ଛିତ ଥିବା ପ୍ରଶାସନିକ ଅଧିକାରୀଙ୍କ ଯାଞ୍ଚରୁ ଜାଣିବାକୁ ପାଇଥିଲେ । ମିଲରେ ଚାଉଳ ଷ୍ଟକ୍ ନଥିବା ଯୋଗାଣ ବିଭାଗ ବାରମ୍ବାର ରିପୋର୍ଟ ଦେଉଥିବାବେଳେ ହଜାର ହଜାର କ୍ଵିଣ୍ଟାଲ ଚାଉଳ କେଉଁଠୁ ଆସିଲା ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଏତିକି ନୁହେଁ, ଜିଲ୍ଲାରେ ଧାନ କିଣା ଠିକ୍ ଭାବରେ ଆରମ୍ଭ ହୋଇ ନ ଥିବାବେଳେ ଶ୍ୟାମଜି ମିଲରେ ପ୍ରାୟ ୫ ହଜାର କ୍ଵିଣ୍ଟାଲ ଧାନ ବାହାରିବା ସମସ୍ତଙ୍କୁ ଚକିତ କରିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ପୂର୍ବରୁ ଯୋଗାଣ ବିଭାଗ ଅଧିକାରୀ ଓ ପାଟଣାଗଡ ଉପଜିଲ୍ଲାପାଳ ମିଲର ଷ୍ଟକ ଯାଞ୍ଚ କଲା ପରେ ମଧ୍ୟ କେମିତି ଏତେ ପରିମାଣର ଧାନ ଓ ଚାଉଳ ଗଚ୍ଛିତ ରହିଛି ସେନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।
ଏଥିରୁ ମିଲ ମାଲିକଙ୍କ ଏହି ଦୁର୍ନୀତିରେ ଯୋଗାଣ ବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ବଲାଙ୍ଗୀରରେ ଚାଷୀଙ୍କୁ ମିଲରମାନେ ଶୋଷଣ କରୁଥିବା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାରେ କୌଣସି ମିଲ୍ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣି ପାରିବେ ନାହିଁ । ହେଲେ ଏହି ମିଲ୍ ଉଚ୍ଚ ନ୍ୟାୟାଳୟଙ୍କୁ ଅବମାନନା କରି ଚାଷୀଙ୍କଠୁ କମ୍ ମୂଲ୍ୟରେ ଧାନ କିଣିଛି । ଏନେଇ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ