ବଲାଙ୍ଗୀର: ଜଣେ ଓଏଏସ୍ ଅଧିକାରୀଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଲେଖିଲେ ଚିଠି । ସମ୍ପୃକ୍ତ ଓଏଏସ ଅଧିକାରୀ ବର୍ତ୍ତମାନ ସୋନପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ବେଳେ ଭାରପ୍ରାପ୍ତ ଭାବେ ସୋନପୁର ଜିଲ୍ଲାପାଳ ଦାୟିତ୍ବରେ ଅଛନ୍ତି । ତେବେ ଅଡିଟରେ ତାଙ୍କ ବିରୋଧରେ ଧରାପଡିଛି କୋଟି କୋଟି ଟଙ୍କାର ବ୍ୟାପକ ହେରଫେର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସୋନପୁର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ସୂର୍ଯ୍ୟନାରାୟଣ ଦାସଙ୍କ ନାଁରେ ।
ତେବେ ୨୦୦୯-୧୦ରେ ଓଏସ ଅଧିକାରୀ ସୂର୍ଯ୍ୟନାରାୟଣ ଦାସ ବଲାଙ୍ଗୀରରେ ତହସିଲଦାର ଥିବାବେଳେ ଏହି ଦୁର୍ନୀତି କରିଥିବା ଅଭିଯୋଗ ଆସିଛି । ଏବେ ୧୩ ବର୍ଷ ପରେ ଏହା ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ସରକାରଙ୍କୁ ଚିଠି କରିଛନ୍ତି । ତେବେ ତାଙ୍କ ନାଁରେ ଜମି ମାଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଓଏଲ୍ଆର୍ ଧାରା ୮(କ)ରେ ସେ ତହସିଲଦାର ଥିବା ସମୟରେ ପ୍ରିମିୟମ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ସେହିଭଳି ଜମିର ପ୍ରକୃତ ମୂଲ୍ୟାଙ୍କନ ନକରି ସରକାରଙ୍କ ଧାର୍ଯ୍ୟ ଦରଠାରୁ ଅଧା ଦାମ ନେଇ ଚାଷଜମିକୁ ଘରବାଡ଼ି କିସମ ଭାବେ ସେ ପରିବର୍ତ୍ତନ କରିଥିଲେ । ଏହାଦ୍ବାରା ଜମି ମାଲିକଙ୍କୁ ଫାଇଦା ମିଳିଥିବା ବେଳେ ସରକାରଙ୍କ ରାଜସ୍ବ ହାନି ହୋଇଥିଲା । ଏପରିକି ସରକାରଙ୍କ ଦେୟ ବୃଦ୍ଧି ସମ୍ପର୍କିତ ନିର୍ଦ୍ଦେଶନାମାର ଠିକ୍ ଗୋଟିଏ ଦିନ ପୂର୍ବରୁ ୧୦୦୦ରୁ ଊର୍ଦ୍ଧ୍ଵ ଓଏଲ୍ଆର୍ ଦେଇଥିଲେ । ଏନେଇ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି ।