ବଲାଙ୍ଗୀର: ଜୀବନର ଅନ୍ୟନାମ ସଂଘର୍ଷ । ଏଠାରେ ସଂଘର୍ଷ ବିନା ସଫଳତାର ସ୍ବାଦ ଚାଖିବା ନିହାତି କଷ୍ଟକର । ଆଜିର ସ୍ବାର୍ଥବାଦୀ ଦୁନିଆରେ ପରିଚୟ ତିଆରି କରିବା ପାଇଁ ଅନେକଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ । ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲାଙ୍ଗୀର ମାଟିର ପୁଅ ମନୋଜ କୁମାର ମିଶ୍ର । ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସେ ବଲାଙ୍ଗୀରରୁ ବଲିଉଡ଼କୁ ସଫଳ ଯାତ୍ରା କରିଛନ୍ତି । ଆଉ ଭାରତୀୟ ସିନେମାରେ ଷ୍ଟେଡି କ୍ୟାମେରା ମ୍ୟାନ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ଆଜି ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରିରେ ସେ ବେଶ ସଫଳ । ନିଜ କ୍ୟାମେରା ଲେନ୍ସରେ ସେ ଶତାଧିକ ସିନେମା କଏଦ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବଲାଙ୍ଗୀର ସହରର ଯୁବକ ମନୋଜ କୁମାର ମିଶ୍ର ପାଠପଢା ସାରି ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ କିଛି କରିବାର ସପ୍ନ ଦେଖି 1992ରେ ମୁମ୍ବାଇ ଯାଇଥିଲେ ଏବଂ ସେଠି 5ବର୍ଷର ସଂଘର୍ଷ ପରେ ସେ ବଲାଙ୍ଗୀର ଫେରି ଆସିଥିଲେ । ପରେ ପୁଣି ଦୃଢ଼ ମନୋବଳ ସହ 2004 ବର୍ଷରେ ମୁମ୍ବାଇ ଯାଇଥିଲେ । ସେଠାରେ ସେ ଜଣଙ୍କ ଠାରୁ ପୁରୁଣା ଷ୍ଟେଡି କ୍ୟାମେରା ଆଣି ଶିଖିବା ଆରମ୍ଭ କରିଥିଲେ ।
ଏହି ମଧ୍ୟରେ ତାଙ୍କ ଜୀବନରେ ଆସିଥିଲା ପ୍ରଥମ ସୁଯୋଗ । ଯେଉଁଥିରେ ସେ 2006 ମସିହାରେ ଗୋଟିଏ ଦକ୍ଷିଣ ଭାରତୀୟ ସିନେମାରେ ନିଜ କ୍ୟାମେରା ଚଳାଇବାର ସୁଯୋଗ ପାଇଥିଲେ । ତାଙ୍କର ଉତ୍କୃଷ୍ଟ କାମ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଦେଖୁ ଦେଖୁ ତାଙ୍କ ପାଖରେ ବଲିଉଡ ହିନ୍ଦୀ, କନ୍ନଡ, ତାମିଲ, ତେଲୁଗୁ ଇତ୍ୟାଦି ଭାଷାରେ ତିଆରି ହେଉଥିବା ସିନେମାର ଲମ୍ବା ଧାଡ଼ି ଲାଗି ଯାଇଥିଲା । ଏହାଛଡା ୱେବ୍ ସିରିଜ, ବିଜ୍ଞାପନ ଭିଡିଓ ଭଳି ବିଭିନ୍ନ ପ୍ରକାରର କାମ ତାଙ୍କ ହାତରେ ଲାଗିଥିଲା । ସେ ଏସବୁ କାମ କରି ତାଙ୍କର ଗୁଣକୁ ଆହୁରି ନିଖୁଣତାର ସହ କରିବା ଆରମ୍ଭ କରିଥିଲେ । ଯାହାଦ୍ବାରା ସେ ଏଯାବତ 240ଟି ହିନ୍ଦୀ ସିନେମା ଓ 60ଟି ଦକ୍ଷିଣ ଭାରତୀୟ ସିନେମାରେ ନିଜର ଷ୍ଟେଡି କ୍ୟାମେରାର ଯାଦୁ ଦେଖାଇ ସାରିଲେଣି । ଭାରତର ନାମୀ ଦାମୀ ଡାଇରେକ୍ଟର ପ୍ରଡ୍ୟୁସର୍ ସହ ନାମୀ ଦାମୀ କଳାକାର ମାନଂକ ସହ ସେ କାମ କରି ତାଙ୍କୁ ରୂପେଲି ପରଦାରେ ସ୍ଥାପିତ କରିଛନ୍ତି।
ବଲାଙ୍ଗୀରର ମନୋଜ କୁମାର ମିଶ୍ର ଅଳ୍ପ ବୟସରୁ ଉଚ୍ଚ ଆଶା ଓ ସପ୍ନ ଦେଖିଥିଲେ । ତାକୁ ସଫଳ କରିବା ପାଇଁ ସେ ଅନେକ ବାଧାବିଘ୍ନ ସହ ଆଗକୁ ବଢ଼ି ଚାଲିଥିଲେ । ସାଧାରଣତଃ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ତିଆରି କରିବାକୁ ଅନେକ ସଂଘର୍ଷ କରି ଅସଫଳ ହୋଇ ସବୁ ଦିନ ପାଇଁ ହଜି ଯାଇଥାନ୍ତି । ହେଲେ ମନୋଜ ଅନେକ ଧକ୍କା ଖାଇ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଗକୁ ବଢ଼ି ଚାଲିଥିଲେ । ତାଙ୍କର ଏହି ପ୍ରଚେଷ୍ଟା ଯୋଗୁଁ ସେ ହିନ୍ଦୀ ଓ ଅନ୍ୟ ଭାଷାରେ ଅନେକ ନାମୀ ଦାମୀ ସିନେମାରେ ନିଜର ଷ୍ଟେଡି କ୍ୟାମେରାର ଯାଦୁ ଦେଖାଇ ଚାଲିଛନ୍ତି ।