ବଲାଙ୍ଗୀର:ଦୁର୍ଦ୍ଦିନରେ ଜାତୀୟ ସ୍ତରର କବାଡି ଖେଳାଳି ତଥା ବଲାଙ୍ଗୀର ଝିଅ ନମିତା ଭୋଇ । ଦିନ ଥିଲା କବାଡି, ଦୌଡ ଭଳି ପ୍ରତିଯୋଗିତାରେ ବିଜୟୀ ହୋଇ ଜିତିଥିଲେ ପୁଳା ପୁଳା ଟ୍ରଫି । ହେଲେ ଆଜି ଯେପରି ଏଗୁଡିକ ମୂଲ୍ୟହୀନ ପରି ଲାଗୁଛି । ଓଡ଼ିଶାକୁ ଜାତୀୟ ସ୍ତରରେ ଗର୍ବିତ କରିଥିଲେ ସୁଦ୍ଧା ଆଜି ତାଙ୍କ ଦୁର୍ଦ୍ଦିନରେ ଆଃ ପଦେ କହିବାକୁ କେହି ନାହିଁ । ସରକାର ଆଜି ଏହି ଖେଳାଳିଙ୍କୁ ଭୁଲି ଯାଇଛନ୍ତି । ଘରର ଆର୍ଥିକ ସ୍ଥିତି ଯୋଗୁଁ ଖେଳ ଛାଡ଼ି ଏବେ ଦିନ ମଜୁରିଆ ଭାବେ ଖଟୁଛନ୍ତି ବଲାଙ୍ଗୀର ଜିଲ୍ଲା ଉପାନ୍ତ ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡା ଗ୍ରାମର ଆଦିବାସୀ ଝିଅ ନମିତା ଭୋଇ । ସରକାର ତାଙ୍କୁ କୌଣସି ଶିକ୍ଷାନୁଷ୍ଠାନରେ କ୍ରୀଡା ଶିକ୍ଷକ ବା ଛୋଟ ଚାକିରି ଖଣ୍ଡିଏ ଯୋଗାଇ ଦେବା ଲାଗି ସେ ଗୁହାରି କରିଛନ୍ତି ।
ନମିତା ରାଜ୍ୟ କବାଡି ଦଳର କ୍ୟାପ୍ଟେନ ଭାବରେ କବାଡି ଖେଳି ଜାତୀୟ ସ୍ତରର ଖେଳରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଥିଲେ । ଅନେକ ଥର ଜାତୀୟ ସ୍ତରରେ ଏହି ଟିମ ବିଜୟୀ ହୋଇଥିଲା । ପ୍ରଥମେ ସେ ବଲାଙ୍ଗୀର ସଇଁତଳା ଆଶ୍ରମ ସ୍କୁଲରେ ପାଠପଢି ଦୌଡ ଓ କବାଡିରେ ନିଜର କୌଶଳ ଦେଖାଇଥିଲେ । ଯାହାପରେ ସେ ଟିଟିଲାଗଡ଼ରୁ ଜିଲ୍ଲାସ୍ତରୀୟ ଓ ପରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ନିଜ କମାଲ ଦେଖାଇଥିଲେ । ପରେ ତାଙ୍କୁ ରାଜ୍ୟ କବାଡି ଦଳର କ୍ୟାପ୍ଟେନ ଭାବରେ ସ୍ଥାନ ମିଳିଥିଲା । ସେ ୨୦୧୭-୧୮ ମସିହାରେ ଛତିଶଗଡ଼ ତଥା ଦିଲ୍ଲୀରେ ବିଭିନ୍ନ ଜାତୀୟ ସ୍ତରୀୟ ଖେଳ ପ୍ରତିଯୋଗିତାରେ ଓଡ଼ିଶାକୁ ବିଜୟୀ କରିଥିଲେ । ତାଙ୍କର ଖେଳର ସଫଳ ଯାତ୍ରା ଚାଲିଥିବା ବେଳେ ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ତାଙ୍କୁ ଗାଁକୁ ଫେରିବାକୁ ପଡିଥିଲା ।
ଏହା ବି ପଢନ୍ତୁ- ଦୁର୍ଦ୍ଦିନରେ ବନ ଶହୀଦଙ୍କ ପରିବାର: ମାନ୍ୟତା ପରେ ବି ମିଳୁନି ସହାୟତା, ୫୦୦ଟଙ୍କାରେ ବିତୁଛି ଦିନ
ଗାଁ ଗମ୍ଭାରୀଗୁଡା ସେତେବେଳେ ଅପହଞ୍ଚ ଥିବା ବେଳେ ଖେଳରେ ବାଧା ସାଜିଥିଲା ଅଭାବ । ଖେଳ ପ୍ରତି ତାଙ୍କର ଖୁବ ରୁଚି ଥିବା ସତ୍ତ୍ବେ ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ସେ ଆଉ ଖେଳକୁ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ । ଖେଳରେ ନାଁ କରିଥିବା ନମିତା ଗରିବୀ ଓ ଅଭାବ ଅନଟନର ଜାଲରେ ଛନ୍ଦି ହୋଇପଡିଥିଲେ । ଦିନେ ତାଙ୍କର ଖେଳରେ ଲୋକେ ତାଳି ମାରୁଥିବା ବେଳେ ଏବେ ତାଙ୍କର ସହାୟତା ପାଇଁ କୌଣସି ସାହାଯ୍ୟର ହାତ ବଢି ପାରିନାହିଁ । ଏବେ ପେଟକୁ ଦାନା ଯୋଗାଡ଼ ପାଇଁ ଦିନ ମଜୁରିଆ ସାଜିଛନ୍ତି । ସେହିପରି ସେ ଖେଳ ସାଙ୍ଗକୁ ଜଣେ ମେଧାବୀ ଛାତ୍ରୀ ଥିବା ସତ୍ତ୍ୱେ ଆର୍ଥିକ ଅନଟନ ଯୋଗୁଁ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇ ପାରିନାହାନ୍ତି । ପାଖରେ ଅନେକ ଟ୍ରଫି, ମେଡାଲ ଓ ସାର୍ଟିଫିକେଟ କେବଳ ସ୍ମୃତିରେ ରହିଯାଇଛି । ନମିତା ଭୋଇଙ୍କ ଜୀବନ ଦୁ୍ର୍ଦ୍ଦିନରେ କଟୁଛି ।