ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ୫ଟି ସଚିବଙ୍କ ଗସ୍ତ ସମୟରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଅଟୋ ଚାଳକ ସଂଘ ଥାନା ଘେରାଉ କରିବା ସହ ସଂପୃକ୍ତ ପୋଲିସ୍ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସୂଚନା ମୁତାବକ,ବଲାଙ୍ଗୀର ଜିଲ୍ଲା ଗସ୍ତରେ 5ଟି ସଚିବ ଆସିଥିବା ବେଳେ ସେ ବିଭିନ୍ନ ସ୍ଥାନକୁ ମାରାଥନ ଗସ୍ତ କରିଛନ୍ତି । ଗତକାଲି(ରବିବାର) ତାଙ୍କର ଟିଟିଲାଗଡ ଗସ୍ତ ସମୟରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଅଟୋ ଡ୍ରାଇଭର ସତ୍ୟ ସାମଲ ମହାନନ୍ଦ କହିଛନ୍ତି ଯେ ତାଙ୍କୁ ବିଜେଡି ଦଳ ପକ୍ଷରୁ ଲୋକଙ୍କୁ ଆଣିବା ପାଇଁ ତାଙ୍କ ଅଟୋକୁ ଭଡା ସୂତ୍ରରେ ନିଆ ଯାଇଥିଲା । ସେ କିଛି ଲୋକଙ୍କୁ ଆଣି ସଭା ସ୍ଥଳରେ ଛାଡ଼ି ଥିଲେ । ତେବେ ସଭା ସରିବା ପରେ ସେହି ଲୋକମାନେ ତାଙ୍କୁ ଫୋନ କରିବାରୁ ସେ ସେମାନଙ୍କୁ ପୁନଃ ଆଣିବାକୁ ଯାଇଥିଲେ । ହେଲେ ବାଟରେ ତାଙ୍କୁ ପୋଲିସ୍ ଅଟକାଇବା ସହ ସେଠିକୁ ଯିବାକୁ ବାରଣ କରିଥିଲା । ସେ ଅଟୋ ଛାଡ଼ି ସେମାନଙ୍କୁ ଡାକି ଆଣିବାକୁ ଯାଉଥିବା ବେଳେ ପୋଲିସ୍ ତାଙ୍କୁ ମାଡ଼ ମାରିଥିବା କହିଛନ୍ତି ।
ସେହିପରି ଅନ୍ୟପଟେ ଟିଟିଲାଗଡ ଅଟୋ ଚାଳକ ସଂଘ ସଭାପତି ପି ସାହୁ କହିଛନ୍ତି, ‘ଏହି ସଭାରେ ନିୟୋଜିତ ଥିବା ଜଣେ ଅଟୋ ଚାଳକକୁ ବିନା କାରଣରେ ଏଭଳି ମାଡ ମାରିବାକୁ ସେମାନେ ବରଦାସ୍ତ କରିବେ ନାହିଁ । ସଂପୃକ୍ତ ପୋଲିସ୍ ଅଧିକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି । ସେପଟେ ଏହି ଅଭିଯୋଗକୁ ନେଇ ପୋଲିସ୍ କୌଣସି ପ୍ରତିକ୍ରିୟା ଦେଇନାହିଁ ।