ବଲାଙ୍ଗୀର: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ କେତେ ଅବାଧ ଓ ସ୍ବଚ୍ଛ ତାହାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ବଲାଙ୍ଗୀର ବିଲେଇସର୍ଡା ପଞ୍ଚାୟତରେ ସରପଞ୍ଚ ପଦ ନିଲାମକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମି ନଥିବାବେଳେ ଏବେ ଏଠାରେ ୱାର୍ଡ ମେମ୍ବର ପଦ ପାଇଁ ନିଲାମ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବେଲପଡ଼ା ବ୍ଲକ ଅନ୍ତର୍ଗତ ଖୁଜେନବାହାଲ ପଞ୍ଚାୟତରୁ ଏଭଳି ଗୁରୁତର ଅଭିଯୋଗ ହୋଇଛି । ପଞ୍ଚାୟତର ସାଧାରଣ ୱାର୍ଡ ମେମ୍ବର ପଦବୀ ୪୦ ହଜାର ଟଙ୍କାରେ ନିଲାମ ହୋଇଥିବା ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଖୁଜେନବାହାଲ ପଞ୍ଚାୟତର ୬ନଂ ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏହି ପଦବୀ ପାଇଁ ନିଲାମ ପ୍ରକ୍ରିୟା କରାଯାଇଥିଲା । ଗତ 18 ତାରିଖରେ ଗାଁର ପ୍ରହରୀ ମଣ୍ଡପ ଠାରେ ଲୋକଙ୍କୁ ଭୋଜି ଭାତ୍ ଦେବା ନାଁରେ ଏହି ନିଲାମ ଡକାଯାଇଥିଲା । ପୂର୍ବରୁ ଅର୍ଥାତ ଗତ ନିର୍ବାଚନରେ ଏହି ପଦବୀ 20 ହଜାର ଟଙ୍କାରେ ନିଲାମ ହୋଇଥିଲା । ଚଳିତ ନିର୍ବାଚନ ପାଇଁ ଏହାକୁ ୪୦ ହଜାର ଟଙ୍କା ରଖାଯାଇଥିଲା । ସେପଟେ ଏହି ନିଲାମ ପୂର୍ବରୁ ୱାର୍ଡର ମହିଳା ବନିତା ବଛା ଗତ 17 ତାରିଖରେ ନାମାଙ୍କନ ଦାଖଲ କରିସାରିଥିଲେ । ଏଣୁ ଧାର୍ଯ୍ୟ ନିଲାମ ଟଙ୍କା ପ୍ରଥମେ ତାଙ୍କୁ ମଗା ଯାଇଥିଲା । ହେଲେ ସେ ଗରିବ ଓ ଅସମର୍ଥ ଥିବାରୁ ତାଙ୍କୁ ଏଥିରୁ ନିବୃତ୍ତ ରହିବା ସହ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ୱାର୍ଡ ବାସି କହିଥିବା ଅଭିଯୋଗ ହୋଇଛି । ତାଙ୍କ ସ୍ଥାନରେ ଆଉ ଜଣେ ବ୍ୟକ୍ତି ଟଙ୍କା ଦେଇ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡ଼ିଛି ।