ଓଡିଶା

odisha

ETV Bharat / state

କ୍ୟାମେରା ଲେନ୍ସରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର - ସବ୍ୟସାଚୀ ମହାପାତ୍ର

ସୋନପୁର ଜିଲ୍ଲାର ଏକ ଗାଁରେ ଜନ୍ମିତ ସବ୍ୟସାଚୀଙ୍କର ପିଲାଟି ଦିନରୁ ହିଁ ଅଭିନୟ ଓ ଚଳଚ୍ଚିତ୍ର ପ୍ରତି ରହିଥିଲା ଅହେତୁକ ରୁଚି । ଯାହା ତାଙ୍କୁ ମାତ୍ର 4 ବର୍ଷ ବୟସରେ ମଞ୍ଚ ନାଟକ ଜଗତରେ ପାଦ ଥାପିବାକୁ ବାଧ୍ୟ କରିଥିଲା । ଦେଖନ୍ତୁ ସବ୍ୟସାଚୀ ମହାପାତ୍ରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ...

interview with sabyasachi mohapatra, sabyasachi mohapatra, movie maker and director sabysachi mohapatra, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସବ୍ୟସାଚୀ ମହାପାତ୍ର, ସବ୍ୟସାଚୀ ମହାପାତ୍ରଙ୍କ ସହ ସାକ୍ଷାତକାର
କ୍ୟାମେରା ଲେନ୍ସରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର

By

Published : Feb 8, 2020, 12:31 PM IST

ବଲାଙ୍ଗୀର: ଓଡିଆ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ସବୁବେଳେ କିଛି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ପରଷିବାରେ ସେ ସିଦ୍ଧହସ୍ତ । ଅନ୍ୟ ଚଳଚ୍ଚିତ୍ର ମଧ୍ୟରେ ବେଶ ଭିନ୍ନ ଭାବେ ବାରି ହୋଇପଡେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର । କେବଳ ଜଣେ ସଫଳ ନିର୍ଦ୍ଦେଶକ ନୁହେଁ ବରଂ ଜଣେ ସଫଳ ଅଭିନେତା ଭାବେ ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତି ହେଉଛନ୍ତି ରାଜ୍ୟର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

କ୍ୟାମେରା ଲେନ୍ସରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର

ସୋନପୁର ଜିଲ୍ଲାର ଏକ ଗାଁରେ ଜନ୍ମିତ ସବ୍ୟସାଚୀଙ୍କର ପିଲାଟି ଦିନରୁ ହିଁ ଅଭିନୟ ଓ ଚଳଚ୍ଚିତ୍ର ପ୍ରତି ରହିଥିଲା ଅହେତୁକ ରୁଚି । ଯାହା ତାଙ୍କୁ ମାତ୍ର 4 ବର୍ଷ ବୟସରେ ମଞ୍ଚ ନାଟକ ଜଗତରେ ପାଦ ଥାପିବାକୁ ବାଧ୍ୟ କରିଥିଲା । ଧିରେ ଧିରେ ସ୍କୁଲ ପଢା ସାରିବା ପରେ ସେ କଲେଜ ପାଇଁ ଆସି ବଲାଙ୍ଗୀରରେ ପହଞ୍ଚିଥିଲେ । ଏଠାରେ ମଧ୍ୟ ସମାନ ଭାବରେ ସେ ନାଟକରେ ଅଭିନୟ କରି ନିଜକୁ ଜଣେ ଭଲ ଅଭିନେତା ଭାବେ ପରିଚିତ କରାଇଥିଲେ । ପରେ ସେ ସମ୍ବଲପୁର ଯାଇ ସେଠି ଅଲ ଇଣ୍ଡିଆ ରେଡ଼ିଓରେ କଳାକାର ଭାବରେ କାମ କରି ନିଜ ଅଭିନୟ ଜାରି ରଖିଥିଲେ।

ଏହି ସମୟରେ ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ଥିବା ସାଧୁ ମେହେର ତାଙ୍କୁ ନିଜ ସହ ‘ଅଭିମାନ’ ସିନେମାରେ ସହ ନିର୍ଦ୍ଦେଶକ ଭାବରେ କାମ କରିବାକୁ ସୁଯୋଗ ଦେଇଥିଲେ । ବାସ୍‌, ଏହାପରଠାରୁ ହିଁ ଆରମ୍ଭ ହୋଇଥିଲା ସବ୍ୟସାଚୀଙ୍କ ସଫଳତାର ଯାତ୍ରା । ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରକୁ ସେ ନିର୍ଦ୍ଦେଶନା ଦେଇ ଚାଲିଲେ । ଫଳରେ କମ ସମୟରେ ସେ ଅଭିନେତାରୁ ପାଲଟିଗଲେ ନିର୍ଦ୍ଦେଶକ ।

ଏହାପରେ ସେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ଯାଇ ପହଞ୍ଚିଥିଲେ ମାୟାନଗରୀ ମୁମ୍ବାଇରେ । ସେଠାରେ ନିଜ କଠିନ ପରିଶ୍ରମ ଓ ଶିଖିବାର ଇଚ୍ଛା ଯୋଗୁଁ ନିର୍ଦ୍ଦେଶନାର କଳା ଶିଖି ସେ 1986ରେ ଓଡିଆ ସିନେମା ‘ସବୁ ମାୟାରେ ବାୟା’ ର ନିର୍ଦ୍ଦେଶନା ଦେଇଥିଲେ । ଯାହା ସେହି ବର୍ଷର ଏକ ସୁପର ଡୁପର ହିଟ ଫିଲ୍ମ ଭାବେ ସାବ୍ୟସ୍ତ ହୋଇଥିଲା । ପରେ ପରେ ସେ ‘ବାହୁଡିବେ ମୋ ଜଗା ବଳିଆ’ ଓ ‘ବୋଉ’ ଆଦି ସୁପର ଡୁପର ହିଟ ଚଳଚ୍ଚିତ୍ର ଭେଟି ଦେଇଥିଲେ ଦର୍ଶକଙ୍କୁ ।

ପରେ ନିଜ ଭାଇମାନଙ୍କ ସହ ମିଶି ସେ ନିଜର ଏକ ଘରୋଇ ପ୍ରଯୋଜନା ଆରମ୍ଭ କରିଥିଲେ । ହୋମ ପ୍ରଡକ୍ସନରେ ସେ ‘ଭୁଖା’, ‘ଶଲାବୁଢା’ ସିରିଜ, ‘ଆଦିମ ବିଚାର’, ‘ପାହାଡର ଲୁହ’ ଭଳି ସିନେମା ପ୍ରଯୋଜନା କରିଥିଲେ । ସେଥି ମଧ୍ୟରୁ ଭୁଖା ଚଳଚ୍ଚିତ୍ର ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇ ଇତିହାସ ରଚିଥିଲା । ତେବେ କେବଳ ଓଡିଆ ନୁହେଁ ବରଂ ହିନ୍ଦୀ ଓ ବଙ୍ଗାଳୀ ଭାଷାରେ ସେ 30ରୁ ଊର୍ଦ୍ଧ୍ବ ସିନେମା ତିଆରି କରି ଜଣେ ସଫଳ ସିନେ ନିର୍ମାତାର ପରିଚୟ ସୃଷ୍ଟି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details