ବଲାଙ୍ଗୀର:କୋରୋନା ସମୟର ଆମ୍ବୁଲାନ୍ସ ଭଡ଼ା ଦାବି କରି ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିନବ ଧାରଣା । ସାଇରନ ବଜାଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧାରଣା । ଆମ୍ବୁଲାନ୍ସ ସାଇରନ ବଜାଇ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।
ଅଭିଯୋଗ ଅନୁସାରେ 2021ରୁ କୋରୋନା ରୋଗୀଙ୍କ ସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କିଛି ଘରୋଇ ଆମ୍ବୁଲାନ୍ସକୁ ଭଡାସୂତ୍ରରେ ଲଗାଇଥିଲା । ଦିନ ରାତି ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଦେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ତେବେ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କୁ କେବଳ 2022ର ପ୍ରାପ୍ୟ ପ୍ରଦାନ କରିଥିବା ବେଳେ 2021ର ପ୍ରାପ୍ୟ ଏଯାଏଁ ପ୍ରଦାନ କରି ନାହାଁନ୍ତି ।
ଏହା ମଧ୍ୟ ପଢନ୍ତୁ:ବଲାଙ୍ଗୀରବାସୀଙ୍କ ଦୁଃଖ ପାଲଟିଛି ଲକ୍ଷ୍ମୀ ଜୋର
ଯେଉଁଥିରେ ପାଞ୍ଚଟି ଆମ୍ବୁଲାନ୍ସର ୧୦ରୁ ଊର୍ଦ୍ଧ୍ବ ଜଣଙ୍କ ପ୍ରାପ୍ୟ ଏଯାଏଁ ମିଳିନାହିଁ । ପାଖାପାଖି ୭ ଲକ୍ଷ ଟଙ୍କାର ବକେୟା ପ୍ରାପ୍ୟ ମିଳିନଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ଏନେଇ କର୍ମଚାରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏହାକୁ ନେଇ ଜିଲ୍ଲାପାଳ କହିଥିଲେ ଏହାର ଟଙ୍କା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି । ତେଣୁ ସେମାନେ ହିଁ ଏହା ବୁଝିବେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏମାନଙ୍କୁ ତାରିଖ ପରେ ତାରିଖ ଦେଇ ଦିନ ଗଡାଇ ଚାଲିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ତେଣୁ ଆଜି ସମସ୍ତ ଆମ୍ବୁଲାନ୍ସ କର୍ମଚାରୀ ମିଳିତ ହୋଇ ଅଭିନବ ଉପାୟରେ ଆନ୍ଦୋଳନ କରିବା ସହ ଆଗକୁ ଦାବି ପୂରଣ ନହେଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।