ବଲାଙ୍ଗୀର:ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ବଲାଙ୍ଗୀରର ଗରିବ ଭୂମିହୀନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର ସହର ସୁଦପଡ଼ା ଠାରେ ଥିବା କୁଷ୍ଠାଶ୍ରମର ୨୪ଜଣ ଅଧିବାସୀଙ୍କୁ ପୌର ପରିଷଦ ପକ୍ଷରୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଦୀର୍ଘ 50 ବର୍ଷ ହେବ କୁଷ୍ଠା ଶ୍ରମରେ ଏଠାକାର ପରିତ୍ୟକ୍ତ ଓ ଅତି ଶୋଚନୀୟ ଅବସ୍ଥାରେ ରହି ଆସୁଥିଲେ । ତେବେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ଏମାନଙ୍କ ବସ୍ତିକୁ ଆଦର୍ଶ କଲୋନୀ ଭାବରେ ଗଢି ତୋଳିବାକୁ ପ୍ରୟାସ ଆରମ୍ଭ କରାଯାଇଛି । ବୁଧବାର ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ଅଧିବାସୀ ଜମିପଟ୍ଟା ପାଇ ଖୁସିବ୍ୟକ୍ତ କରିଛନ୍ତି ।
ବଲାଙ୍ଗୀର ସହର କ୍ରମଶଃ ବଢ଼ି ଚାଲିଥିବା ବେଳେ ଜମି ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ଯାହାଫଳରେ ସହର ମଧ୍ୟରେ 50 ବର୍ଷ ପୂର୍ବରୁ ଗଢି ଉଠି ଥିବା ବସ୍ତି ଲୋକଙ୍କ ପାଇଁ ଭଲ ଜମି ଓ ଘର ଖଣ୍ଡିଏ ସ୍ବପ୍ନ ହୋଇ ରହିଥିଲା । ହେଲେ ବଲାଙ୍ଗୀର ପ୍ରଶାସନ ଓ ପୌର ପରିଷଦର ମିଳିତ ଉଦ୍ୟମରେ ସରକାରଙ୍କ ଜାଗା ମିଶନ ଦ୍ବାରା ଗରିବ ଭୂମିହୀନଙ୍କୁ ଜମି ଯୋଗାଇବା ନିମନ୍ତେ ପ୍ରୟାସ କରାଯାଇଥିଲା ।