ବଲାଙ୍ଗୀର: ମିଳିମିଶି ଖାଇଗଲେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ । କୋଟି କୋଟି ଟଙ୍କାର ହୋଇଛି ଚାଉଳ ଦୁର୍ନୀତି । ମିଳୁନି କାହାର ହିସାବ । ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋଦ୍ ବଲାଙ୍ଗୀର ଜିଲ୍ଲାରୁ । ତେବେ ଲକ୍ଷ କି ହଜାରେ ନୁହେଁ କୋଟି କୋଟି ଟଙ୍କାର ସ୍କୁଲ ପିଲାଙ୍କର ମଧ୍ୟାହ୍ନ ଭୋଜନ ଚାଉଳ ହୋଇଛି ବାଟମାରଣା । କୋରୋନା ସମୟରେ ସବୁ ସ୍କୁଲ ବନ୍ଦ ଥିବା ବେଳେ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କ ଘରକୁ ମଧ୍ୟାହ୍ନ ଭୋଜନ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ହେଲେ ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ଏଜେଣ୍ଟ ଏବଂ ଶିକ୍ଷା ବିଭାଗର ଅଧିକାରୀ ଏଥିରେ ବ୍ୟତିକ୍ରମ କରିଥିଲେ । ପିଲାଙ୍କ ଘରେ ମଧ୍ୟାହ୍ନ ଭୋଜନ ପହଁଞ୍ଚାଇବା ପରିବର୍ତ୍ତେ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଯାହାର ଅଭିଯୋଗ ପାଇ ଖୋଦ୍ ସ୍କୁଲ୍ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ ।
ତେବେ ଏଠି ପ୍ରଶ୍ନ ଉଠିଛି ଗତ ଜାନୁୟାରୀ ଫେବୃଆରୀ ଓ ମାର୍ଚ୍ଚ ଏହି ତିନି ମାସର ଚାଉଳ କୌଣସି ସ୍କୁଲରେ କାହିଁକି ପହଞ୍ଚି ନଥିଲା । ତେବେ ତିନି ମାସର ଏହି ଚାଉଳ ଏଠିକାର ନିଯୁକ୍ତ ଥିବା ଟ୍ରାନ୍ସପୋର୍ଟ ଏଜେଣ୍ଟ ତୁଫାନ୍ ମେହେର ଗୋଦାମରୁ ସେ ସମୟରେ ଉଠାଇଥିବା ବେଳେ ଚାଉଳ ସ୍କୁଲରେ ନପହଞ୍ଚି ବାଟମାରଣା ହୋଇଥିବାର ଅଭିଯୋଗ ହୋଇଛି । ତେଣୁ ଏହାର ତଦନ୍ତ କରିବାକୁ ଏବେ ସାଧାରଣରେ ଦାବି ହେଉଛି ।