ବଲାଙ୍ଗୀର: ଅସଲି ବ୍ରାଣ୍ଡ ହେଲେ କପଡା ନକଲି । ଏହିଭଳି ଦୀର୍ଘ ବର୍ଷରୁ ଚାଲିଥିଲା କୋଟି କୋଟି ଟଙ୍କାର ନକଲି ପୋଷାକ କାରବାର । ଯେଉଁଥିରେ ଆଜି ଜଣେ ନାମୀ ଦାମୀ ବ୍ଯବସାୟୀ ଗିରଫ ହୋଇଛନ୍ତି । ସେହିପରି ଅସଲି ବ୍ରାଣ୍ଡ ଲାଗିଥିବା ଲକ୍ଷାଧିକ ଟଙ୍କାର କପଡ଼ା ପୋଲିସ ଜବତ କରିଛି । ବଲାଙ୍ଗୀରରେ ଚାଲିଥିଲା ଦାମୀ ବ୍ରାଣ୍ଡ ଲେଭିଶ, କେଲଭିନ ଭଲି କମ୍ପାନୀର ନକଲି କପଡ଼ା ବିକ୍ରି କରୁଥିବା ବ୍ୟବସାୟୀକୁ ବାନ୍ଧିଲା ପୋଲିସ ।
ସୂଚନା ଅନୁଯାୟୀ, ବଲାଙ୍ଗୀରର ନ୍ୟୁ ଲଖାନୀ କପଡ଼ା ହୋଲ୍ସେଲ୍ ଓ ଖୁଚୁରା ଦୋକାନରେ ଚଢ଼ାଉ କରିଥିଲା ପୋଲିସ । ଯେଉଁଠି ବ୍ୟାପକ ମାତ୍ରାରେ ଅସଲି ବ୍ରାଣ୍ଡ ନାଁରେ ନକଲି ଡ୍ରେସ୍ ବିକ୍ରି ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ସେହିପରି ଏଥିରେ ପୋଲିସ 43 ଲକ୍ଷ ଟଙ୍କାର ନକଲି ଡ୍ରେସ୍ ଜବତ କରିଛି । ଯେଉଁ ଥିରେ ଅସଲି ବ୍ରାଣ୍ଡ୍ର ଷ୍ଟିକର, ଲୋଗୋ ଲାଗିଥିବା ବେଳେ ତାହା ସମ୍ପୂର୍ଣ୍ଣ ନକଲି ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଡ୍ରେସ୍ ବ୍ୟବସାୟୀ ରାଜେଶ କୁମାର ଲଖାନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବଲାଙ୍ଗୀର ଏସଡ଼ିପି ଓ ତୁଫାନ ବାଗ କହିଛନ୍ତି,"ବଲାଙ୍ଗୀର ସୁଦପଡା ସ୍ଥିତ ଲେଖାନୀ ନ୍ୟୁ ଗାର୍ମେଣ୍ଟ୍ କପଡ଼ା ଟ୍ରେଡିଂ ଉପରେ ଏହି ଚଢ଼ାଉ ହୋଇଥିଲା । ତେବେ ମୁମ୍ବାଇର ଲେବିଶ ନେଟ୍ରିକା କନ୍ସଲଟିଂ ପ୍ରାଇଭେଟ୍ କମ୍ପାନୀ ପକ୍ଷରୁ ଦୀପକ କୁମାର ଗୁପ୍ତା ଟାଉନ୍ ଥାନାରେ ଏହାର ଅଭିଯୋଗ କରିଥିଲେ । ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ସମ୍ପୃକ୍ତ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ସେଠି ଲିଭାଇସ, କେଲଭିନ୍ ଭଳି ନାମୀଦାମୀ କମ୍ପାନୀର ଲୋଗୋ ଷ୍ଟିକର ଲଗାଯାଇ ନକଲି କପଡ଼ା ବିକ୍ରି କରାଯାଉଥିଲା । ତେବେ ସମ୍ପୃକ୍ତ ଦୋକାନୀଙ୍କ ନାଁରେ ଦଫା 420, 468, 471 ଓ ଆଇପିସି ଦଫା 51-ଏ, ବି ଓ 63 କପି ରାଇଟରେ ମାମଲା ରୁଜୁ କରି ଦୋକାନୀକୁ କୋର୍ଟ ଚାଲାଣ କରାଯାଇଛି ।"