ବଲାଙ୍ଗୀର: ଜିଲ୍ଲାର ଶାନ୍ତିପଡାରେ ଅଶାନ୍ତିର ବାତାବରଣ । ବଲାଙ୍ଗୀର ସହର ମଧ୍ୟରେ ଆଜି ଜଣେ ବନ୍ଧୁକ ଧାରୀ ଯୁବକଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଦୀର୍ଘ ଘଣ୍ଟା ଧରି ଆତଙ୍କ ଖେଳାଇ ଏକ ପରିବାରକୁ ପଣବନ୍ଦୀ କରି ରଖିଥିଲା। ପୋଲିସ ଓ ଯୁବକଙ୍କ ଛକାପଞ୍ଚା ମଧ୍ୟରେ ଶେଷରେ ଯୁବକଙ୍କୁ କାବୁ କଲା ପୋଲିସ । ସେଠାରୁ ପୋଲିସ ଏକ ଭୁଜାଲି ଓ ପିସ୍ତଲ ଜବତ କରିଛି।
ବଲାଙ୍ଗୀର ଶାନ୍ତିପଡାର ପୂର୍ବତନ ଶିକ୍ଷକ ମଦନ ମୋହନଙ୍କ ଘରେ ଏହି କାଣ୍ଡ ଭିଆଇଛି ଯୁବକ ଜଣକ। ତେବେ ଆଜି ସକାଳୁ 8 ଟାରୁ ଜଣେ ଯୁବକ ଏମାନଙ୍କ ଘରକୁ ଆସି ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା। ଯୁବକ ଜଣକ ତାଙ୍କ ସମ୍ପର୍କୀୟ ଭାଣଜି କୁ ଡକାଇବା ପାଇଁ କହିଥିଲା। ତେବେ ପରିବାର ଲୋକଙ୍କୁ ଏକ କୋଠରୀ ମଧ୍ୟରେ ବନ୍ଧୁକ ମୁନରେ ବନ୍ଧକ କରି ରଖିଥିଲା। ସେପଟେ ବଲାଙ୍ଗୀର ପୋଲିସ ଏହାର ଖବର ପାଇବା ପରେ ଘଟଣାସ୍ଥଳକୁ ଆସି ଯୁବକ ସହିତ ଆଲୋଚନା କରିଥିଲେ ସୁଧା କୌଣସି ସୁଫଳ ମିଳିନ ଥିଲା। ଅନ୍ୟପଟେ ଦୀର୍ଘ ପାଞ୍ଚ ଘଣ୍ଟାର ପରିଶ୍ରମ ପରେ ପୋଲିସ ଅଗ୍ନିଶମ ବିଭାଗ ସହ ମିଶି କୌଶଳକ୍ରମେ ଘର ପଛପଟ ଝରକାରୁ ସିଡି ଓ ଦଉଡି ସାହାଯ୍ୟରେ ବନ୍ଧକ ଥିବା ପରିବାର ଲୋକଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ହେବା ପରେ ପରିବାର ଲୋକେ ଭୟଭୀତ ଥିବା ବେଳେ ଯୁବକ ଜଣକ ତାଙ୍କ ଭାଣଜିକୁ ଦିଅ ନହେଲେ ସମସ୍ତଙ୍କୁ ମାରି ଦେବି ବୋଲି କହିଥିଲେ ବୋଲି ପରିବାର ଲୋକେ କହିଛନ୍ତି।