ବଲାଙ୍ଗୀର: ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା। ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ କୂଅରୁ ମିଳିବା ପରେ ପୋଲିସ ତଦନ୍ତ କରି ପ୍ରେମ ପାଇଁ ହତ୍ୟା କରା ଯାଇଥିବା ସ୍ପଷ୍ଟ କରିଛି। ଏହି ଘଟଣାରେ ପୋଲିସ ପ୍ରେମିକା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା, ପ୍ରେମିକା ପରିବାରର ପାଞ୍ଚ ଗିରଫ ଗତ ୧୧ ତାରିଖ କଣ୍ଟାବାଞ୍ଜି ଆଶ୍ରମପଡା ସ୍ଥିତ ରାଧାସ୍ବାମୀ ସତସଙ୍ଗ ପଛପଟ ଏକ ପରିତ୍ୟକ୍ତ କୁଅରୁ ଖବର କାଗଜ ବିତରକ କମଳର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୃତକଙ୍କ ପରିବାର ଏହା ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ କରିବା ସହ ମୃତ କମଳର ପ୍ରେମିକା ଘରକୁ ସନ୍ଦେହ କରିଥିଲେ। ପୋଲିସ ଅଭିଯୋଗକୁ ଆଧାର କରି କମଳର ପ୍ରେମିକା ଏବଂ ତାର ବାପା ମା ଭାଇ ଏବଂ ଅନ୍ୟ ସମ୍ପର୍କୀୟ ମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା । ତେବେ ବଲାଙ୍ଗୀର ଏସପି କମଳକୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ।
ସୂଚନା ଥାଉକି ୧୧ ତାରିଖ ରାତିରେ କମଳ ପ୍ରେମିକାକୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲା । କମଳ ଏବଂ ତାର ପ୍ରେମିକା ଘରେ କଥା ହେଉଥିବା ବେଳେ ପରିବାର ଲୋକ ଜାଣିପାରି ତାକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଘଟଣାସ୍ଥଳରେ କମଳର ମୃତ୍ୟୁ ହୋଇଥିଲା । ଏକ କୂଅରେ ଫିଙ୍ଗି ଦେଇ ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଚେଷ୍ଠା କରିଥିଲେ ପ୍ରେମିକା ପରିବାର । କିନ୍ତୁ ପୋଲିସର ଏକ ସ୍ବତନ୍ତ୍ର ଟିମ ଏହାର ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ କରିଥିଲେ । ଏଥିରେ ଝିଅର ମା ପୂଷ୍ପା ସୁନା, ବାପା ଗଗନ ସୁନା, ସମ୍ପର୍କୀୟ ରଘୁନାଥ ସୁନା, ମଣ୍ଟୁ ସୁନା ଓ ରଞ୍ଜନ ସୁନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ହତ୍ୟାରେ ବ୍ୟବହୃତ ହୋଇଥିବା କାଠ ଫାଳିଆ ମଧ୍ୟ ଜବତ କରିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହେଦ, ଇଟିଭି ଭାରତ