ବଲାଙ୍ଗୀର: ସେ ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ସକ୍ଷମ । ଏଭଳି ଜଣେ ଯୁବକ ହେଉଛନ୍ତି ବଲାଙ୍ଗୀରର ଉଦୟନାଥ ଜାନୀ । ବଲାଙ୍ଗୀର ଜିଲ୍ଲା ଭାଲେର ଗ୍ରାମର ଉଦୟନାଥ ଜାନୀ । ଜନ୍ମରୁ ସେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ । ତାଙ୍କ ମା’ ବାପା ଦିନ ମଜୁରିଆ ହୋଇଥିବା ବେଳେ ଘରେ ଆଉ ଦୁଇ ଭଉଣୀ ସହିତ ସେ ରୁହନ୍ତି । ତେବେ ତାଙ୍କର ଆର୍ଥିକ ସ୍ଥିତି ସାଙ୍ଗକୁ ଦୃଷ୍ଟିହୀନ ହେବା ତାଙ୍କ ପାଇଁ ସତେ ଯେମିତି ଅଭିଶାପ ହୋଇଛି । ହେଲେ ଏସବୁ ସତ୍ତ୍ବେ ସେ ପିଲାବେଳୁ ଜିଇଁବାର ସଂଘର୍ଷ ଜାରି ରଖିଛନ୍ତି । ତାଙ୍କର ସଙ୍ଗୀତ ପ୍ରତି ଥିବା ଅହେତୁକ ରୁଚି ଆଜି ତାଙ୍କୁ ଏକ ସଫଳ ବାଦ୍ୟକାର କରିଛି । ତେବେ ସେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରୁ ଡୁବି ତବଲା ଶିଖିବା ଆରମ୍ଭ କରିଥିଲେ । ଗାଁର ବିଭିନ୍ନ ପର୍ବପର୍ବାଣୀରେ ସେ ବାଦ୍ୟଯନ୍ତ୍ର ବଜାଇ ଆସୁଥିଲେ । ଏପରିକି ସେ ଅଳ୍ପ ବୟସରେ ତିନି ଘଣ୍ଟା ଡୁବି ତବଲା ବଜାଇ ଚର୍ଚ୍ଚାରେ ଆସିଥିଲେ ।
ତେବେ ଅର୍ଥ ବାଧକ ସାଜିଥିବାରୁ ସେ ଆଗକୁ କୌଣସି ଗୁରୁଙ୍କ ଠାରୁ ବାଦ୍ୟଯନ୍ତ୍ର ଶିକ୍ଷାଲାଭ କରିପାରିନଥିଲେ । ନିଜେ ହିଁ ସଙ୍ଗୀତ ସାଧନା କରି ଶିଖିବା ଆରମ୍ଭ କରିଥିଲେ । ଯାହା ଦ୍ବାରା ଏବେ ସେ ସବୁ ପ୍ରକାରର ବାଦ୍ୟଯନ୍ତ୍ର ବଜାଇବାରେ ସିଦ୍ଧହସ୍ତ ହୋଇପାରିଛନ୍ତି । ସେ ଡୁବି ତବଲା, ଢୋଲ, ମାନ୍ଦଳ ମାଠିଆ ଇତ୍ୟାଦିକୁ ଅତି ନିଖୁଣତାର ବଜାଇ ପାରନ୍ତି । ତେବେ ତାଙ୍କର ଏହି କଳା ଏବେ କେବଳ ଗାଁରେ ସୀମିତ ନାହିଁ, ସେ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ନିଜର ବାଦ୍ୟଯନ୍ତ୍ର ବଜାଇ ସୂନାମ ଅର୍ଜନ କରିଛନ୍ତି । ସରକାର ଓ ବିଭିନ୍ନ ସଂଗଠନ ଦ୍ବାରା ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି । ସେହିପରି ସେ ଭଜନ ପ୍ରତି ବିଶେଷ ରୁଚି ରଖିଥିବା ବେଳେ ଆଗକୁ ମଧ୍ୟ ତାଙ୍କର ଏହି ସାଧନା ଜାରି ରଖିବେ ବୋଲି କହିଛନ୍ତି ।