ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଥିବା 5T ସଚିବ ଆଜି ଭୁବନେଶ୍ବର ଫେରିଛନ୍ତି । 5T ସଚିବଙ୍କ ଗସ୍ତର ଦ୍ଵିତୀୟ ଦିନରେ ଆଜି ସେ ସମଲେଇ ମନ୍ଦିର, ରାଣୀପୁର ଝରିଆଲ, ଲୋୟର ଶୁକତେଲ ପ୍ରକଳ୍ପ ଇତ୍ୟାଦି ସ୍ଥାନ ବୁଲିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଲୋକମାନଙ୍କ ଅଭିଯୋଗର ସମୀକ୍ଷା ପରେ ୭ ଦିନ ମଧ୍ୟରେ ପଦକ୍ଷେପ ନିଆଯିବ ଓ ସମସ୍ତେ ଖୁସି ଖବର ପାଇବେ ବୋଲି କହିଥିଲେ ସଚିବ 5T ଭିକେ ପାଣ୍ଡିଆନ ।
ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିବା 5T ସଚିବ ଭିକେ ପାଣ୍ଡିଆନ ଏହି ଦୁଇ ଦିନରେ ଜିଲ୍ଲାରେ ବିଭିନ୍ନ ବ୍ଲକ, ଏନ୍ଏସି ଅଞ୍ଚଳ ଓ ମନ୍ଦିର ବୁଲିବା ସହ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ସେହିପରି ବିଭିନ୍ନ ବିଭାଗର ଅଧିକାରୀ, କଲେଜ ଅଧିକାରୀ ଓ ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀ ମାନଙ୍କ ସହ ମଧ୍ୟ ମିଶି ଆଲୋଚନା କରିଥିଲେ ଏବଂ ସେମାନଙ୍କର ସମସ୍ୟା ସବୁ ଶୁଣିଥିଲେ । ତେବେ ଆଜି ଦ୍ବିତୀୟ ତଥା ଶେଷ ଦିନରେ ସକାଳୁ ସେ ବଲାଙ୍ଗୀର ସହରସ୍ଥିତ ମା' ସମଲେଇ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିଥିଲେ । ମା' ସମଲେଇ ମନ୍ଦିର କମିଟି ସହ ସବିଶେଷ ଆଲୋଚନା କରିଥିଲେ ଏବଂ ଖୁବଶୀଘ୍ର ସମଲେଇ ପୀଠର ରୂପାନ୍ତର କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ । ସେହିପରି ଆଜି ଲୋଇସିଂହା ବ୍ଲକ ଯୋଗୀସୁରଡ଼ା ଶୈବପୀଠକୁ ମଧ୍ୟ ଗସ୍ତ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ସେଠାରେ ଭଗବାନଙ୍କ ଦର୍ଶନ କରିବା ସହ ସେଠିକାର ମନ୍ଦିର କମିଟି ସହ ଆଲୋଚନା କରିଥିଲେ । ଏହି ଶୈବପୀଠର ବିକାଶ ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ଲୋଇସିଂହାଠାରେ ଏକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ଅଭିଯୋଗ ଓ ଦାବି ଉପରେ ୭ ଦିନ ମଧ୍ୟରେ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ 5T ସଚିବ ।