ବଲାଙ୍ଗୀର : ଜିଲ୍ଲାରେ ଜାଲ ସାର୍ଟିଫିକେଟ୍ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନକଲି ସାର୍ଟିଫିକେଟ ସିଣ୍ଡିକେଟ କେବଳ ବଲାଙ୍ଗୀର ନୁହେଁ ରାଜ୍ୟ ବାହାରକୁ ଲମ୍ବିଛି ଏହାର ଚେର। ତେବେ ମୁଖ୍ୟ କିଙ୍ଗ୍ପିନ ଗିରଫ ପରେ ଆହୁରି ଅଧିକ ତଦନ୍ତ କରୁଛି ପୋଲିସ । ୪ଟି ସ୍ବତନ୍ତ୍ର ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ କରିବେ ତଦନ୍ତ । ଯେଉଁଥିରେ ସାଇବର ଟିମ୍ ଏହାର ଆର୍ଥିକ ନେଣଦେଣର କରିବ ଯାଞ୍ଚ । ସେହିପରି ଏହାର ଟେକ୍ନିକାଲ ବିଷୟକୁ ମଧ୍ୟ ଏମାନେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ । ଏଥିସହ ଆଉ ଗୋଟିଏ ଟିମ୍ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିବ । 27 ବିଶ୍ୱ ବିଦ୍ୟାଳୟର ଜାଲ୍ ସାର୍ଟିଫିକେଟ କେମିତି ବିକ୍ରି ହେଉଥିଲା ତାହାର ତଦନ୍ତ କରିବ ।
ସେହିପରି ଆଉ ଗୋଟିଏ ଟିମ ରାଜ୍ୟ ମଧ୍ୟରେ ତଦନ୍ତ କରିବା ସହ ଅନ୍ୟ ଏକ ଟିମ୍ ସାର୍ଟିଫିକେଟ ନେଇଥିବା, କିମ୍ବା ଏଥିରେ ସାମିଲ ଥିବା ଲୋକ ସହ ଜାଲ ସାର୍ଟିଫିକେଟରେ ଚାକିରି କରୁଛନ୍ତି କି, ସେନେଇ ତଦନ୍ତ କରିବ । ତେବେ ଏହି ଜାଲ ସାର୍ଟିଫିକେଟ କିଣିବାରେ ସାଧାରଣ ଅସାଧୁ ବ୍ୟକ୍ତିଙ୍କ ଛଡା କିଛି ଦୁର୍ଦ୍ଧାନ୍ତ ଅପରାଧୀ ମଧ୍ୟ ସାର୍ଟିଫିକେଟ୍ କିଣି ଥିବା ପୋଲିସ ତଥ୍ୟ ପାଇଛି । ପୋଲିସକୁ ମିଳିଥିବା ତଥ୍ୟ ଅନୁସାରେ ବଲାଙ୍ଗୀରରେ ଦୁର୍ଦ୍ଧାନ୍ତ ଅପରାଧୀ ବବଲୁ ମହାନନ୍ଦ ଯୁକ୍ତ ୨ ସାର୍ଟିଫିକେଟ ଏଇଠୁ କିଣିଥିଲା । ଯାହା ଉତ୍ତର ପ୍ରଦେଶର ହୋଇଥିବା ବେଳେ ସାର୍ଟିଫିକେଟ ମୁତାବକ ସେ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛି । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସବୁଠି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବବଲୁ ମହାନନ୍ଦ ଜଣେ ପେଶା ଗତ ଅପରାଧୀ ହୋଇଥିବା ବେଳେ ପୋଲିସ ତାକୁ ଥରେ ଏନକାଉଣ୍ଟର ମଧ୍ୟ କରି ସାରିଛି । ଏବେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କରି ସେ ବଲାଙ୍ଗୀର ଜେଲରେ ଅଛି ।
ତେବେ ପୋଲିସର ସୂଚନା ଅନୁସାରେ, 2016ରୁ ବଲାଙ୍ଗୀରର ରିଲାଏନ୍ସ କୋଚିଂ ସେଣ୍ଟର ନାଁରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଏହି ଗୋରଖ ଧନ୍ଦା ଚଳାଇଥିଲା । ଏଯାବତ 5 ହଜାରରୁ ଊର୍ଦ୍ଧ୍ବ ଜାଲ ସାର୍ଟିଫିକେଟ ବିକ୍ରି କରିଥିବାର ଜଣା ପଡ଼ିଛି । ତେବେ ଏହି ଗୋରଖ ଧନ୍ଦା ବେଧଡକ ଏଠି ଚାଲିଥିବା ବେଳେ ନିକଟରେ ଡାକଘର ଖାଲି ପଦବୀ ପାଇଁ ଆବେଦନ ପତ୍ର ସବୁର ଯାଞ୍ଚ ହୋଇଥିଲା । ଯେଉଁଥିରେ 37 ଜଣଙ୍କ ସାର୍ଟିଫିକେଟ ଜାଲ୍ ବୋଲି ଜଣା ପଡିଥିଲା । ଏହାପରେ ମାମଲା ଥାନାକୁ ଆସିଥିଲା । ପୋଲିସ ଏହାର ଚେର ଖୋଜି ଏହି କେଳେଙ୍କାରୀର ମୁଖ୍ୟ ମନୋଜ ମିଶ୍ର ସହିତ 19 ଜଣଙ୍କୁ ଗିରଫ କରିଥିଲା । ସେହିପରି କୋଚିଂ ସେଣ୍ଟରରୁ ମାଳମାଳ ନକଲି ସାର୍ଟିଫିକେଟ ସିଲ୍ ଷ୍ଟାମ୍ପ ସହ ଏକ ଗୁପ୍ତ ଡାଏରୀ ପୋଲିସ ଜବତ କରିଥିଲା । ଡାଏରୀରେ ସବୁ ଜାଲ ସାର୍ଟିଫିକେଟର ନେଣଦେଣର ରହିଥିଲା ତଥ୍ୟ । ଯାହା ପୋଲିସର ତଦନ୍ତରେ ସାହାଯ୍ୟ କରିଛି । ସେପଟେ ଡାକ ବିଭାଗ ନକଲି ସାର୍ଟିଫିକେଟରେ ଚାକିରି କରୁଥିବା ୪ ଜଣଙ୍କ ନାଁରେ ପୁଣି ମାମଲା ଥାନାରେ ରୁଜୁ ହୋଇଛି । ଯେଉଁଥିରେ ଜଗନ୍ନାଥ ପୋଢ଼ ବିପିଏମ, ପୂଜା ମେହେର ବିପିଏମ, ରଘୁନାଥ ମେହେର ଏବିପିଏମ ଓ କୋକିଲ ମେହେର ଏବିପିଏମ ଭାବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି ।