ଓଡିଶା

odisha

ETV Bharat / state

ପୋଲିସର ମିଶନ ଉଦ୍ଧାର, ଦାଦନ ଚାଲାଣ ବେଳେ 36 ଶ୍ରମିକ ଉଦ୍ଧାର - ଦାଦନ ଶ୍ରମିକ

ବଲାଙ୍ଗୀର ପୋଲିସର "ମିଶନ ଉଦ୍ଧାର" । ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି 36 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଅଧିକ ପଢ଼ନ୍ତୁ

ମିଶନ ଉଦ୍ଧାର
ମିଶନ ଉଦ୍ଧାର

By ETV Bharat Odisha Team

Published : Nov 20, 2023, 9:43 PM IST

ମିଶନ ଉଦ୍ଧାର

ବଲାଙ୍ଗୀର: ରାଜ୍ୟରୁ କମୁନି ଦାଦନ ଶ୍ରମିକ ଚୋରା ଚାଲାଣ । ଦାଦନ ଋତୁ ଆରମ୍ଭ ହୋଇଥିବା ବେଳେ ବେଆଇନ୍ ଦାଦନ ଚାଲାଣ ଉପରେ ବଲାଙ୍ଗୀର ପୋଲିସର ଆରମ୍ଭ ହୋଇଛି "ମିଶନ ଉଦ୍ଧାର" । ଏଥିରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି 36 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ସେହିପରି ଏଥିରେ ଜଣେ ଦଲାଲ ସମେତ ତିନି ଜଣଙ୍କୁ ପୋଲିସ ଗିରଫ କରିଛି । ବଲାଙ୍ଗୀର ନୂଆଖାଇ ପରେ ଜିଲ୍ଲାରେ ଆରମ୍ଭ ହୋଇଥାଏ ମଣିଷ ଚାଲାଣ ବ୍ୟାପାର ।

ତେବେ ପେଟପାଟଣା ପାଇଁ ଲୋକଙ୍କୁ ବାହାର ରାଜ୍ୟକୁ ଦାଦନ ଭାବରେ ଚାଲାଣ ହୋଇଥାଏ । ଏହାକୁ ରୋକିବା ପାଇଁ ପୋଲିସ ସ୍ବତନ୍ତ୍ର ଡ୍ରାଇଭ 'ମିଶନ ଉଦ୍ଧାର' ଆରମ୍ଭ କରିଛି । ଏଥିରେ ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ଗୋଟିଏ ଦିନରେ ମୋଟ 36 ଜଣ ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ ବେଳେ ଉଦ୍ଧାର କରିଛି । ବଲାଙ୍ଗୀର ରେଳଷ୍ଟେସନରୁ ବାହାର ରାଜ୍ୟକୁ ବେଆଇନ ଚାଲାଣ ବେଳେ ପ୍ରଥମେ 19 ଜଣ ଦାଦନ ଶ୍ରମିକଙ୍କୁ ବଲାଙ୍ଗୀର ଟାଉନ ପୋଲିସ ଉଦ୍ଧାର କରିଛି । ସେପଟେ ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ଦଶ ଜଣ ଶିଶୁ ଥିବା ବେଳେ ଛଅ ଜଣ ମହିଳା ଓ ତିନି ଜଣ ପୁରୁଷ ଅଛନ୍ତି । ଦାଦନ ଶ୍ରମିକମାନଙ୍କୁ ଦଲାଲ ଟ୍ରେନ ଯୋଗେ ସିକନ୍ଦରାବାଦ୍ ନେଉନଥିବା ବେଳେ ବଲାଙ୍ଗୀର ଟାଉନ ପୋଲିସ୍ ସମସ୍ତଙ୍କୁ ଉଦ୍ଧାର କରିଛି । ଏହାସହ ଟାଉନ ଥାନରେ 648/2023ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଉଦ୍ଧାର ସବୁ ଦାଦନ ଶ୍ରମିକ ବଲାଙ୍ଗୀର ଜିଲ୍ଲା ସାଲେଭଟା, ପୁଇନ୍ତଳା ଅଞ୍ଚଳର ବୋଲି ଏସଡିପିଓ ତୋଫାନ ବାଗ କହିଛନ୍ତି । ସେହିପରି ସମସ୍ତଙ୍କୁ ତାଙ୍କ ଗାଁରେ ସୁରକ୍ଷିତ ଭାବରେ ଛାଡ଼ି ଦିଆଯାଇଥିବାର ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ........ସ୍ବତନ୍ତ୍ର ଡ୍ରାଇଭ୍ ମିଶନରେ 15 ଦାଦନ ଉଦ୍ଧାର, 3ଗିରଫ

ସେପଟେ ଅନ୍ୟଏକ ମାମଲାରେ ପାଟଣାଗଡ଼ ପୋଲିସ ବେଆଇନ ଦାଦନ ଚାଲାଣ ହେଉଥିବାର ଖବର ପାଇ ପାଟଣାଗଡ଼ ସରମୁହାନ ଗ୍ରାମ ଠାରେ ଚଢାଉ କରିଥିଲା । ସେଠାରେ ଦୁଇଟି ଚାରି ଚକିଆ ଗାଡ଼ିରେ 17 ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ କରା ଯାଉଥିବା ବେଳେ ଶ୍ରମିକମାନଙ୍କୁ ଉଦ୍ଧାର କରିଛି ପୋଲିସ । ସେହିପରି ଦାଦନ ଦଲାଲ ଯଦୁ କୁମ୍ଭାରଙ୍କ ସହ ଦୁଇ ଡ୍ରାଇଭରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଉଦ୍ଧାର ଶ୍ରମିକ ସବୁ ଖୋରଖୋଲ ଓ ବେଲପଡ଼ା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ତେବେ ବଲାଙ୍ଗୀର ଜିଲ୍ଲାରେ ପେଟପାଟଣା ପାଇଁ ଗରିବ ବାହାର ରାଜ୍ୟକୁ ଦାଦନ ଖଟବାକୁ ଯାଇଥାଏ । ଯଦିଓ ଅନେକ ସରକାରୀ ଯୋଜନା ରହିଛି ଏହାସତ୍ୱେ ଲୋକ କାମ ପାଇ ପାରୁନାହାଁନ୍ତି । ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏହାର ସୁଯୋଗ ନେଇ ଶ୍ରମିକ ଦଲାଲମାନେ ସେମାନଙ୍କୁ କିଛି ଅଗ୍ରୀମ ଟଙ୍କା ଦେଇ ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତି । ଶ୍ରମିକମାନେ ଦଲାଲ ଓ ମାଲିକ ମଧ୍ୟରେ ପେଶି ହୋଇ ମୃତାହତ ହେଉଥିବାର ଅନେକ ଘଟଣା ବାରମ୍ବାର ସାମନାକୁ ଆସିଥାଏ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details