ଓଡିଶା

odisha

ETV Bharat / state

ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ସରିଲା 3 ଦିନିଆ ମେଗା ଇଭେଣ୍ଟ, ବାଳିକା ଏକକ ବର୍ଗରେ ଓଡିଶାକୁ ସ୍ବର୍ଣ୍ଣ

ବଲାଙ୍ଗୀରରେ ଚାଲିଥିବା ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଶେଷ ହୋଇଛି । ବାଳିକା ଏକକ ବର୍ଗରେ ଓଡିଶାକୁ ସ୍ବର୍ଣ୍ଣ ଭେଟି ଦେଇଛନ୍ତି ତନବୀ ପାତ୍ର । ଅଧିକ ପଢ଼ନ୍ତୁ

ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା
ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା

By ETV Bharat Odisha Team

Published : Nov 24, 2023, 9:19 PM IST

ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ବଲାଙ୍ଗୀର: ଗତ 21 ତାରିଖରୁ ଆରମ୍ଭ ହୋଇଥିବା 35ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଶେଷ ହୋଇଛି । ଏଥିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ହରିୟାଣାର ଖେଳାଳିମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ବାଳିକା ଏକକ ବର୍ଗରେ ଓଡିଶାକୁ ସ୍ବର୍ଣ୍ଣ ପଦକ ମିଳିଥିବାବେଳେ ପୁରୁଷ ଏକକରେ କର୍ଣ୍ଣାଟକକୁ ମିଳିଛି ସ୍ବର୍ଣ୍ଣ । ସେହିପରି ପୁରୁଷ ଯୁଗଳରେ ହରିୟାଣା ଓ ଆନ୍ଧ୍ରପ୍ରଦେଶ ସ୍ବର୍ଣ୍ଣ ପଦକ ନେଇଥିବାବେଳେ ଓ ବାଳିକା ଯୁଗଳରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଖେଳାଳି ଜିତିଛନ୍ତି ସ୍ବର୍ଣ୍ଣ ପଦକ । ଓଡ଼ିଶାର ତନବୀ ପାତ୍ର ଏହି ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି ।

ଓଡ଼ିଶାରେ ଭୁବନେଶ୍ବର ପରେ ପ୍ରଥମ କରି ବଲାଙ୍ଗୀରରେ ଆୟୋଜିତ ହୋଇଥିଲା ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା । ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟେଡିୟମରେ ଏହି ପ୍ରତିଯୋଗିତା ଗତ 21 ତାରିଖରୁ ଆରମ୍ଭ ହୋଇଥିଲା । 3 ଦିନ ଧରି ଚାଲିଥିବା ଏହି ଖେଳରେ ଦେଶର 30ଟି ରାଜ୍ୟ ଓ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରୁ ମୋଟ 450 ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ଓଡିଶା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ହରିୟାଣା ଖେଳାଳି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଯେଉଁଥିରେ ବାଳିକା ଏକକରେ ଓଡ଼ିଶାର ଝିଅ ତନବୀ ପାତ୍ର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେହିପରି ଏହି ବର୍ଗରେ କର୍ଣ୍ଣାଟକର ସାଇନା ମଣିମୁଥୁ ରନର୍‌ ଅପ୍‌ ହୋଇ ରୌପ୍ୟ ପଦକ ପାଇଛନ୍ତି । ସେହିପରି ପୁରୁଷ ଏକକରେ କର୍ଣ୍ଣାଟକର ପୁସ୍କର ସାଏ ଚମ୍ପିଆନ୍‌ ହୋଇଥିବାବେଳେ ତାଙ୍କୁ କଡ଼ା ଟକ୍କର ଦେଇଥିବା ଦିଲ୍ଲୀର ହର୍ଷିତ କୁମାର ରନର୍‌ ଅପ୍‌ ହୋଇ ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ଯୁଗଳରେ ହରିୟାଣାର ଜୟବର୍ଦ୍ଧନ ହୁଡ୍ଡା ଓ ଆନ୍ଧ୍ରପ୍ରଦେଶର ହେମନ୍ତଶ୍ରୀ ସମେଟାଙ୍କ ଯୋଡି ଏକ ରୋଚକ ମ୍ୟାଚ୍‌ରେ କର୍ଣ୍ଣାଟକର ଈଶ୍ବର ସାଇ କଟମ ଓ ପୁସ୍କର ସାଏଙ୍କ ଯୋଡିକୁ ହରାଇ ଚମ୍ପିଆନ୍‌ ହୋଇଛନ୍ତି । ସମାନ ଭାବରେ ବାଳିକା ଯୁଗଳରେ ଆନ୍ଧ୍ରପ୍ରଦେଶର ବିଜୟ ତେଜସ୍ବିନୀ ଓ କର୍ଣ୍ଣାଟକର ସାଇନା ମଣିମୁଥୁଙ୍କ ଯୋଡି ଏକ ପାଖିଆ ଭାବରେ ତିନୋଟି ସେଟ୍‌ରୁ ଦୁଇଟିରେ ବିଜୟ ହୋଇ ସ୍ବର୍ଣ୍ଣ ହାସଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତଃଜିଲ୍ଲା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା; ବାଲେଶ୍ଵର ପୁଅ ଆଣିଲେ ସ୍ୱର୍ଣ୍ଣ ପଦକ

ଏହି ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ହାସଲ କରିଥିବା ଓଡିଶାର ସୁନା ଝିଅ ତନବୀ ପାତ୍ର କହିଛନ୍ତି, "ଏଠାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ଖୁବ ଶିକ୍ଷଣୀୟ ଥିଲା । ଏହି ଟୁର୍ଣ୍ଣାମେଣ୍ଟ ବହୁତ ଆହ୍ବାନପୂର୍ଣ୍ଣ ଥିଲା । ଦେଶର ବିଭିନ୍ନ ପ୍ରାନ୍ତର ପ୍ରତିଭାବାନ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମିଳିଥିଲା ।" ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ସେ ସଫଳ ହେବାର ଆଶା ରଖିଥିବା କହିଛନ୍ତି । ସେପଟେ ଆଜିର ଏହି ଉଦ୍‌ଯାପାନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ । ଏଭଳି ଜାତୀୟ ବ୍ୟାଡମିଣ୍ଟନ ଖେଳର ସଫଳ ଆୟୋଜନ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଛନ୍ତି, "ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ବାବଧାନରେ ଓଡ଼ିଶାରେ ସବୁ ଖେଳକୁ ପ୍ରୋତ୍ସାହିତ କରାଯାଉଛି । ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସଫଳ ଭାବରେ ଆୟୋଜନ ହେଉଛି । ଯାହାଦ୍ବାରା ଖେଳାଳିମାନେ ଆଗକୁ ବଢ଼ିବାକୁ ଏକ ଉଚ୍ଚ ମାଧ୍ୟମ ପାଇବେ ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details