ବଲାଙ୍ଗୀର: ଆରମ୍ଭ ହୋଇଛି ଦ୍ଵିତୀୟ ଅଲ୍ ଇଣ୍ଡିଆ ବଲାଙ୍ଗୀର ଓପନ ତଥା ବିଲୋ ଫିଡେ ରେଟିଙ୍ଗ୍ ଚେସ୍ ଟୁର୍ଣ୍ଣାମେଣ୍ଟ । ଯେଉଁଥିରେ ଦେଶର ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେବେ । ତେବେ ଏଥିରେ ଖେଲାଳି ନିଜର ରାଙ୍କିଂ ବଢ଼ାଇବା ପାଇଁ ଖେଳିବେ ବୋଲି କହିଛନ୍ତି ଆୟୋଜକ । ଏହି ରାଙ୍କ୍ ଦ୍ବାରା ସେମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଟୁର୍ଣ୍ଣାମେଣ୍ଟ ଖେଳିବାର ଯୋଗ୍ୟତା ପାଇବେ । ତେବେ ବଲାଙ୍ଗୀର କିସ୍ କ୍ୟାମ୍ପସରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଯାହାର ଶୁଭ ଉଦ୍ଘାଟନ ପୂର୍ବତନ ସାଂସଦ ତଥା ଓଡିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଚେସ୍ ସଙ୍ଘ ସଭାପତି ଜିଏସ୍ ମହାପାତ୍ର କହିଛନ୍ତି, "ବଲାଙ୍ଗୀରରେ ଦ୍ଵିତୀୟ ଥର ପାଇଁ ଜାତୀୟ ସ୍ତରୀୟ ଫିଡେ ରେଟିଙ୍ଗ ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ଏହାଦ୍ବାରା ଆଖ ପାଖ ସବୁ ଅଞ୍ଚଳର ଖେଳାଳି ଘର ପାଖରେ ରାଙ୍କିଂ ପାଇଁ ଖେଳି ପାରିବେ ।" ସେହିପରି ସେ ଆୟୋଜକଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଚେସ୍ ଖେଳାଳି ସଞ୍ଜୟ ଦାସଙ୍କ କହିବା କଥା, ସେ ଛୋଟ ଦିନରୁ ଚେସ୍ ଖେଳୁଛନ୍ତି । ଏବେ ସେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳି ଏକ ଭଲ ରାଙ୍କ ପାଇବେ ଓ ଆଗକୁ ଅନ୍ୟ ଟୁର୍ଣ୍ଣାମେଣ୍ଟ ଖେଳି ପାରିବେ ବୋଲି ଆଶା ରଖିଥିବା ସେ କହିଛନ୍ତି ।