ବଲାଙ୍ଗୀର: ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ବାଇପାସ ଦାବିରେ ପୁଣି ଦିଆଯାଇଛି ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା । ଏହି ନିଷ୍ପତ୍ତି ନେଇଛି ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟି । ଆସନ୍ତା 18 ଓ 19 ତାରିଖରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ବାଇପାସ ଦାବିରେ ଆନ୍ଦୋଳନ ଦୀର୍ଘ ବର୍ଷ ହେବ ଜାରି ରହିଛି । ଯେଉଁଥିରେ ବଲାଙ୍ଗୀର ଓକିଲ ସଂଘ ଗତ ବର୍ଷେ ହେବ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ବେଳେ ଏବେ ଏହାର ମଙ୍ଗ ଧରିଛି ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟି। ଏନେଇ ପ୍ରତି ମାସର ତୃତୀୟ ବୁଧବାର ଓ ଗୁରୁବାର ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇ ଆସୁଛି ।
3ଟି ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ତେବେ ଶୁକ୍ରବାର ପୁଣି କ୍ରିୟା ଅନୁଷ୍ଠାନ କମିଟିର ଏକ ବୈଠକ ବସିଥିଲା । ଏଥିରେ ପୂର୍ବୋକ୍ତ 3ଟି ଦାବି ନେଇ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ପୁଣି ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତା 18 ଓ 19 ତାରିଖ ରେ ଏହି ବନ୍ଦ ଡାକରା ଦିଆ ଯାଇଛି । ଏଥିରେ ଜିଲ୍ଲାର ସବୁ ସରକାରୀ କଲେଜକୁ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି ।
ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ସେପଟେ ଦୋକାନ ବଜାର ଓ ଗାଡି ଚଳାଚଳ ସ୍ବାଭାବିକ ରଖିବାର ମଧ୍ୟ ନିଷ୍ପତ୍ତି ହୋଇଛି। ତେବେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ଏକାଧିକ ସଙ୍ଗଠନ ଉପସ୍ଥିତ ଥିବା ବେଳେ ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରିବାର ନିଷ୍ପତ୍ତି ନିଆଯାଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ