ବଲାଙ୍ଗୀର: ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଓ ବିଭିନ୍ନ ପୀଡ଼ିତ ମହିଳାଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ଏଥିପାଇଁ ଆଜି ସକାଳୁ ବଲାଙ୍ଗୀରରେ ସବୁ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ରହିଛି । ବନ୍ଦ ଡାକରା ଦେଇଥିବା ମହିଳା ସଂଗଠନର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲାରେ ନାରୀ ନିର୍ଯାତନା ଓ ହତ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବା ଦିଗରେ ପୋଲିସ ପ୍ରଶାସନ ଓ ସରକାର ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ଶତାଧିକ ସଦସ୍ୟା ସହରରେ ପିକେଟିଂ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ସହ ପ୍ରମୁଖ ରାସ୍ତାଗୁଡିକୁ ଅବରୋଧ କରିଥିବା ଦେଖାଯାଇଛି । ଆଜି ସକାଳ ୬ଟାରୁ ସହରରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି । କଂଗ୍ରେସ ଦଳ ବଲାଙ୍ଗୀର ବନ୍ଦକୁ ସମର୍ଥନ କରିଥିବା ବେଳେ ଲକ୍ଷେ ଘର ଗଣ୍ଡା ସମାଜ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ ମହିଳା ପୋଲିସ ମୁତୟନ କରାଯାଇଛି । ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ଏନେଇ ସୂଚନା ଦେଇଛନ୍ତି ।