ବଲାଙ୍ଗୀର:ପୁଣି ତେଜିଲା କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏନେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି । କିନ୍ତୁ ଏଥିରୁ ଜରୁରୀକାଳୀନ ସେବା ଏବଂ ପରୀକ୍ଷା ଚାଲୁଥିବା ସ୍କୁଲକୁ ବନ୍ଦରୁ ବାଦ ଦିଆଯାଇଛି । ସ୍ଥାନୀୟ ଇନ୍ଦିରା ଛକ ସହ ସହରର ବିଭିନ୍ନ ସ୍ଥାନରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବନ୍ଦ ପାଳନକୁ ସହରର ବିଭିନ୍ନ ସଂଗଠନ ସମର୍ଥନ କରିଛି । ତେବେ ଆଗକୁ ଜିଲ୍ଲା ଦାବି ପୂରଣ ନ ହେଲେ ଭୋଟ ବର୍ଜନ ଚେତାବନୀ ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ।
କଣ୍ଟାବାଞ୍ଜି ସହର ସମେତ ଆଖପାଖ ୪ଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସବୁ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେପଟେ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଏହି ବନ୍ଦ ଡାକରାରେ ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ଆନ୍ଦୋଳନକାରୀ କହିଛନ୍ତି ଯେ," ବିଗତ ୩୦ ବର୍ଷ ହେବ କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ନେଇ ଲୋକେ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ପଦକ୍ଷେପ କିମ୍ବା ପ୍ରତିଶ୍ରୁତି ଦେଇ ନାହାନ୍ତି । ବିଗତ ତିନି ମାସରେ କ୍ରମାଗତ ଭାବରେ ତିନିଥର କଣ୍ଟାବାଞ୍ଜି ବନ୍ଦ ଡାକରା ଦେଇ ଆନ୍ଦୋଳନ ହୋଇଥିଲା । ସରକାର ଆମ ଦାବିକୁ ଅଣଦେଖା କରିବାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛୁ । "