ବଲାଙ୍ଗୀର: ପୁଣି ଜୋର ଧରିଲା କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦରେ ସମସ୍ତ ଦୋକାନ ବଜାର ତଥା ବ୍ୟବସାୟିକ ଓ ସରକାରୀ ପ୍ରତିଷ୍ଠାନ, ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିଛି । ସ୍ଥାନୀୟ ଇନ୍ଦିରା ଛକ ଟିକଟରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବନ୍ଦ ପାଳନକୁ ସହରର ବିଭିନ୍ନ ସଂଗଠନ ସମର୍ଥନ କରିଛି ।
କଣ୍ଟାବାଞ୍ଜି ସହର ସମେତ ଆଖ ପାଖ ତିନୋଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସବୁ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେପଟେ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ଏହି ବନ୍ଦ ଡାକରାରେ ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ଆନ୍ଦୋଳନକାରୀ କହିଛନ୍ତି, " ବିଗତ ୩୦ ବର୍ଷ ହେବ କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ନେଇ ଲୋକେ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ପଦକ୍ଷେପ କିମ୍ବା ପ୍ରତିଶ୍ରୁତି ଦେଇ ନାହାନ୍ତି । ବିଗତ ମାସରେ କଣ୍ଟାବାଞ୍ଜି ବନ୍ଦ ଡାକରା ଦେଇ ଆନ୍ଦୋଳନ ହୋଇଥିଲା । ସରକାର ଆମ ଦାବିକୁ ଅଣଦେଖା କରିବାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛୁ । " ଦାବି ପୂରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ଓ ଆଗକୁ ଏହା ଆହୁରି ତୀବ୍ରତର ହେବ ବୋଲି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଚେତାବନୀ ଦେଇଛି ।