ବଲାଙ୍ଗୀର:ଜୋର୍ ଧରିଲା ଟିଟିଲାଗଡ ଜିଲ୍ଲା ମାନ୍ୟତା ଦାବି । ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ଟିଟଲାଗଡକୁ ମଧ୍ୟ ଜିଲ୍ଲା କରିବା ପାଇଁ ସ୍ବର ତେଜିଛି । ଏହି ଦାବିରେ ଆଜି(ଗୁରୁବାର) ପୁଣିଥରେ ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ଦେଇଛି ଟିଟିଲାଗଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ । ଯାହାଫଳରେ ସକାଳୁ ଟିଟିଲାଗଡ଼ରେ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ୍ କଲେଜ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି । କମିଟିର ସଦସ୍ୟମାନେ ବିଭିନ୍ନ ଛକରେ ଧାରଣା ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଦୁଇ ଦିନ ତଳେ ଟିଟିଲାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଡକାଇ ୧୨ ଘଣ୍ଟିଆ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ଦୀର୍ଘ ବର୍ଷ ହେଲା ସ୍ଥାନୀୟ ସଂଗଠନ ଏବଂ ରାଜନୈତିକ ଦଳଗୁଡ଼ିକୁ ଆନ୍ଦୋଳନ କରିଆସୁଛନ୍ତି । ଅନେକ ଥର ବିକ୍ଷୋଭ ସହ ବନ୍ଦ ପାଳନ ହୋଇଛି । ରାଜ୍ୟ ସରକାର ମଧ୍ୟ ଗତ ନିର୍ବାଚନ ପୂର୍ବରୁ ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଟିଟିଲାଗଡ଼ରେ ଜଣେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଏଡିଏମଙ୍କ ନିଯୁକ୍ତି ହୋଇଛି । ହେଲେ ସରକାର ଅନ୍ୟ ପ୍ରାନ୍ତକୁ ଜିଲ୍ଲା ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଟିଟିଲାଗଡ଼ର ଦାବିକୁ ଅବହେଳା କରିଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ ପାଇଁ ସଂଗଠନ ନିଷ୍ପତ୍ତି ନେଇଥିବା ବେଳେ ଏହି କ୍ରମରେ ଆଜି ଟିଟିଲାଗଡ ବନ୍ଦ ଡାକରା ଦେଇଛନ୍ତି ।