ଅନୁଗୋଳ:ଅପହଞ୍ଚ ପଲ୍ଲୀରେ ଜନ୍ମ ହୋଇ ମଧ୍ୟ ନିଜ ଅଞ୍ଚଳବାସୀଙ୍କ ସେବାକୁ ଆପଣେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଆଠମଲ୍ଲିକ ଉପଖଣ୍ଡର ଉର୍ମିଳା । ଜଙ୍ଗଲ ଅଧ୍ୟୁଷିତ ପ୍ରାୟ ୩୦ଖଣ୍ଡ ଗାଁର ଲୋକଙ୍କୁ ଆଲୋକ ଦେଖାଇ ପାରିଛନ୍ତି ସେ । ରାତି ପାହିଲେ ଉର୍ମିଳାଙ୍କ ଚିନ୍ତା, କିଏ ଭତ୍ତା ପାଇନି, କିଏ ସରକାରୀ ଯୋଜନାରେ ଘର ପାଇନି, ଜଙ୍ଗଲ ଅଧିକାର ଆଇନ ବଳରେ କାହାକୁ ଜମି ପଟ୍ଟା ମିଳିନି, କେଉଁଠି ଜଙ୍ଗଲ ଅସୁରକ୍ଷିତ ହୋଇ ପଡିଛି ଏମିତି କେତେ କଣ । ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସାହାଯ୍ୟ କରିବା ଉର୍ମିଳାଙ୍କ ଯେମିତି ବ୍ରତ ପାଲଟିଛି । ଦୀର୍ଘ ୬ରୁ ୭ବର୍ଷ ହେଲା ସେ ବିନା ସ୍ବାସ୍ଥ୍ୟରେ ଏପରି କାର୍ଯ୍ୟ କରିଆସୁଛନ୍ତି । ଫଳରେ ଗାଁ ଲୋକଙ୍କ ପାଇଁ ପାଲଟିଛନ୍ତି ସେ ଉର୍ମିଳା ଦିଦି ।
ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ଜଙ୍ଗଲ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଅବସ୍ଥିତ କାଶୀନାଥପୁର ଗାଁରେ ଜନ୍ମଗ୍ରହଣ କରିଛନ୍ତି ଉର୍ମିଳା ବେହେରା । ପରିବାର କହିଲେ କେବଳ ବୁଢ଼ୀ ମାଆ ଓ ସେ ନିଜେ । ଦୁଃଖ କଷ୍ଟରେ ଦୁଇ ପ୍ରାଣୀ କୁଟୁମ୍ବ ଚଳନ୍ତି । ଏଭଳି ସ୍ଥିତିରେ ମଧ୍ୟ ଉର୍ମିଳା ଗାଁଠାରୁ ଦୂର ଠାକୁରଗଡ଼ କଲେଜରେ ବିଏ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ବୟସ ମାତ୍ର ୨୩ବର୍ଷ । ଏତେ କମ ବୟସ ଏବଂ ଆର୍ଥିକ ଅନାଟନ ମଧ୍ୟରେ ଥିଲେ ମଧ୍ୟ ଉର୍ମିଳା ସମାଜ ସେବାକୁ ନିଜର ବ୍ରତ କରି ନେଇଛନ୍ତି । ତାଙ୍କ ନିଜ ଗାଁ ମଇମୁରା ପଞ୍ଚାୟତ ଏବଂ ନିକଟସ୍ଥ ଠାକୁରଗଡ଼ ପଞ୍ଚାୟତର ୩୦ରୁ ଅଧିକ ଗାଁ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳ । ସେହି ସବୁ ଗାଁଗୁଡିକରେ ଶତକଡା ୯୦ଭାଗ ଆଦିବାସୀ ଲୋକ ବସବାସ କରନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଏବେ ସୁଦ୍ଧା ସେ ଅଞ୍ଚଳରେ ପହଞ୍ଚି ପାରିନାହିଁ । ମୋବାଇଲ ସେବା ତ ସେଠାରେ ପାଲଟିଛି ସାତ ସପନ ।
ତେଣୁ ସରକାରୀ ଯୋଜନା କଣ ସେମାନେ ଆଦୌ ଜାଣନ୍ତି ନାହିଁ । ଉର୍ମିଳା ମଧ୍ୟ ନିଜେ ଜଣେ ଆସିବାସୀ ମହିଳା ହୋଇଥିବାରୁ ଏସବୁ ସେ ଅଞ୍ଚଳର ଲୋକଙ୍କ ପାଇଁ କିଛି କରିବାକୁ ଚିନ୍ତା କଲେ । ଗାଁ ଗାଁ ବୁଲି ଲୋକଙ୍କୁ ନେଇ ସଭା ସମିତି କଲେ । କିଭଳି ସରକାରୀ ଯୋଜନାର ସୁଫଳ ପାଇ ପାରିବେ ସେ ନେଇ ବୁଝାଇଲେ । ଆବଶ୍ୟକ ପଡ଼ିଲେ ଲୋକଙ୍କର ସମସ୍ତ କାଗଜପତ୍ର ନେଇ ନିଜେ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଗଲେ । ଦିନ ରାତି ପରିଶ୍ରମ କରି ସେ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କଲେ । ଗାଁରେ ମୋବାଇଲ ସେବା ନଥିଲେ ମଧ୍ୟ ନିଜେ ମୋବାଇଲ ଧରି ପ୍ରତ୍ୟକ ମହିଳାଙ୍କୁ ଶିଖାଉଛନ୍ତି । ତାଙ୍କର ଅବିଶ୍ରାନ୍ତ ସେବା ପାଇଁ ଶହ ଶହ ଲୋକ ଉପକୃତ ହେଉଛନ୍ତି । ଏହି ସେବା ସେ ଦିନେ କି ଦୁଇ ଦିନ ନୁହେଁ ବରଂ ୬ରୁ୭ବର୍ଷ ହେଲା ନିରଵଛିନ୍ନ ଭାବେ କରି ଆସୁଛନ୍ତି। ସେଥିରେ ତାଙ୍କୁ ମିଳୁଛି ଅମାପ ଆନନ୍ଦ।