ଅନୁଗୋଳ: କଙ୍ଗାରୁ କୋର୍ଟ । ତାଳଚେର ଅନ୍ତର୍ଗତ ବାଳୁଙ୍ଗା ଗ୍ରାମରେ କଙ୍ଗାରୁ କୋର୍ଟ । କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଯୁବକଙ୍କୁ ଲଣ୍ଡା କରି ଗାଁ ବୁଲାଇଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି ତାଳଚେର ପୋଲିସ । ବାଳୁଙ୍ଗା ଗ୍ରାମର ଛାତ୍ରୀମାନେ କଲେଜ ଯିବା ସମୟରେ କମେଣ୍ଟ ମାରୁଥିଲେ ଯୁବକ ।
ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲାର ତାଳଚେର ଅନ୍ତର୍ଗତ ବାଳୁଙ୍ଗା ଗ୍ରାମର କିଛି ଛାତ୍ରୀ କଲେଜକୁ ପାଠ ପଢିବାକୁ ଯାଉଥିବାବେଳେ ସ୍ଥାନୀୟ ୩ ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ଯୁବକମାନେ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଥିଲେ । ଏହି କଥା ଛାତ୍ରୀମାନେ ଗାଁରେ କହିବା ପରେ ଗାଁ ଲୋକ ଏକାଠି ହୋଇ ଆଜି ଛକି ରହିଥିଲେ । ସେହି ୩ ଜଣ ଯୁବକ ଆଜି ପୁଣି ଛାତ୍ରୀମାନଙ୍କୁ କମେଣ୍ଟ କରିବା ବେଳେ ଗାଁ ଲୋକ ଧରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କୁ କାବୁ କରିନେଇଥିଲେ ଗ୍ରାମବାସୀ ।