ଓଡିଶା

odisha

By

Published : Dec 9, 2022, 4:04 PM IST

ETV Bharat / state

ରୋଜଗାର ଦେଲା ରଙ୍ଗୀନ ମାଛ ଚାଷ, ସ୍ବାବଲମ୍ବୀ ହେଲେ ମହିଳା

ମହିଳାଙ୍କ ଜୀବନରେ ରଙ୍ଗ ଭରିଲା ରଙ୍ଗୀନ ମାଛ ଚାଷ । ମାଛ ଚାଷ କରି ସ୍ବାବଲମ୍ବୀ ମହିଳା । ଅନୁଗୋଳ ବଡବାହାଲ ଗାଁର ୧୦ଜଣ ମହିଳା ମାଛ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଓଡିଶା ଜୀବିକା ମିଶନ ସହାୟତାରେ ୧୫ରୁ ୨୦ ପ୍ରକାର ମାଛ ଚାଷ କରି ବର୍ଷକୁ ପ୍ରାୟ ଲକ୍ଷାଧିକ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ଅଧିକ ପଢନ୍ତୁ

ରୋଜଗାର ଦେଲା ରଙ୍ଗୀନ ମାଛ ଚାଷ
ରୋଜଗାର ଦେଲା ରଙ୍ଗୀନ ମାଛ ଚାଷ

ଅନୁଗୋଳ:ମାଛ ଚାଷ କରି ସ୍ବାବଲମ୍ବୀ ମହିଳା । ରଙ୍ଗୀନ ମାଛ ଚାଷ କରି ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଅନୁଗୋଳ ଜିଲ୍ଲା କୁମୁରିସିଂହା ପଞ୍ଚାୟତର ବଡବାହାଲ ଗାଁର ୧୦ ଜଣ ମହିଳା । କୁଣ୍ଡରେ ଭଳିକି ଭଳି ମାଛ ଚାଷ କରି ବେଶ ଦୁଇ ପଇସା ରୋଜଗାର କରି ପାରିଛନ୍ତି । ଓଡିଶା ଜୀବିକା ମିଶନ ସହାୟତାରେ ଏହି ମାଛ ଚାଷ ଆରମ୍ଭ କରିଥିଲେ ମା ତାରା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ।

ରୋଜଗାର ଦେଲା ରଙ୍ଗୀନ ମାଛ ଚାଷ

ବଡ଼ବାହାଳ ଗାଁର ଅଧିକାଂଶ ଲୋକ ଚାଷବାସ ଉପରେ ନିର୍ଭର କରନ୍ତି । ତେଣୁ ମହିଳା ମାନେ ମଧ୍ୟ ଘର କାମ ବ୍ୟତୀତ ଚାଷବାସରେ ସହାୟତା କରନ୍ତି । କିନ୍ତୁ ରକ୍ଷଣଶୀଳ ମନୋଭାବ ଯୋଗୁଁ ଅଧିକାଂଶ ମହିଳା ଘରୁ ବାହାରକୁ ବାହାରୁ ନାହାନ୍ତି । ସେଥିପାଇଁ ଦୀର୍ଘ ୧୦ବର୍ଷ ପୂର୍ବେ ଗାଁର ୧୦ଜଣ ମହିଳା ମିଶି ମା ତାରା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ କରିଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ଥିଲା । ହେଲେ ଓଡିଶା ଜୀବିକା ମିଶନ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଏବେ ବଦଳାଇ ଦେଇଛି । ମିଶନ ତରଫରୁ ଗାଁର ୧୦ଜଣ ମହିଳାଙ୍କୁ ରଙ୍ଗୀନ ମାଛ ଚାଷ କରିବାକୁ ପରାମର୍ଶ ଦିଆ ଯାଇଥିଲା । ଏହି ଚାଷ କଲେ ଘରୁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ସବୁ କିଛି କରିହେବ । ଭଲ ଦୁଇ ପଇସା ଆୟ ହୋଇ ପାରିବ ବୋଲି ବୁଝାସୁଝା କରା ଯାଇଥିଲା ।

ପ୍ରଥମେ ସେମାନଙ୍କ ଏ ସମ୍ପର୍କରେ ତାଲିମ ଦିଆଗଲା । ଏହାପରେ ସମସ୍ତ ପ୍ରକାର ଆର୍ଥିକ ଓ ବୈଷୟିକ ସହାୟତା ମଧ୍ୟ ଦିଆ ଯାଇଥିଲା । ଫଳରେ ମହିଳା ମାନେ ବିଭିନ୍ନ ପ୍ରକାର ରଙ୍ଗୀନ ମାଛ ଚାଷ ଆରମ୍ଭ କରିଥିଲେ । ଏହାପରେ ପ୍ରତି ମାସରେ ହଜାର ହଜାର ଟଙ୍କାର ମାଛ ବିକ୍ରୀ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ସେମାନଙ୍କ ମାଛ କ୍ରୟ କରାଯାଉଛି । ବାହାରୁ ବେପାରୀ ମାନେ ମଧ୍ୟ ଆସି ମାଛ ନେଉଛନ୍ତି । ଏଥିପ୍ରତି ମହିଳା ମାନଙ୍କ ଆଗ୍ରହ ବଢ଼ିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ-ସଂସଦ ଭବନ ସେଣ୍ଟ୍ରାଲ ହଲରେ ଭାଷଣ ଦେଲେ କୋରାପୁଟ ଝିଅ ଶୀତଲଗ୍ନା, ଗର୍ବିତ ପରିବାର

ମାତ୍ର ଗୋଟିଏ ବର୍ଷରେ ଏହି ମହିଳା ଗୋଷ୍ଠୀ ଏକ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରି ପାରିଛନ୍ତି । ପ୍ରତିବର୍ଷ ଉତ୍ପାଦନ ବଢାଇବା ସହ ଆହୁରି ଅଧିକ ପ୍ରଜାତିର ରଙ୍ଗୀନ ମାଛ ଚାଷ କରିବାକୁ ଉଦ୍ୟମ କରୁଛନ୍ତି । ଏହାଛଡା ନିଜେ ଅକ୍ୱାରିଅମ ତିଆରି କରି ସେଥିରେ ଭଳିକି ଭଳି ରଙ୍ଗୀନ ମାଛ ରଖି ବିକ୍ରି କରିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି । ଏଭଳି ହେଲେ ସେମାନଙ୍କ ଆୟ ଆହୁରି ବଢ଼ି ପାରିବ । ସକାଳ ହେଲେ ଘର କାମ ସାରି ସମସ୍ତେ ଏକାଠି ହେଉଛନ୍ତି । ମାଛ କୁଣ୍ଡରେ ପାଣି ଦେବା, ମାଛ ମାନଙ୍କୁ ଖାଦ୍ୟ ଓ ଔଷଧ ଦେବା ଏବଂ ସଫାସୁତୁରା କରିବା କାମରେ ଲାଗି ପଡୁଛନ୍ତି । ଦୈନିକ ପ୍ରାୟ ୨ରୁ ୩ଘଣ୍ଟା ଏହି କାମରେ ଲାଗୁଛନ୍ତି । ଆଗକୁ ଆହୁରି ଅଧିକ ସମୟ କାମ କରି ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖି ସେମାନେ ଆଗେଇ ଚାଲିଛନ୍ତି । ଏବେ ଏହି ମହିଳା ମାନେ ନିଜର ଛୋଟ ମୋଟ ଖର୍ଚ୍ଚ ପାଇଁ ଆଉ କାହାକୁ ହାତ ପତେଇବାକୁ ପଡୁନି । ପରିବାର ପାଇଁ ମଧ୍ୟ କିଛିଟା ଆର୍ଥିକ ସହାୟତା ଦେଇ ପାରୁଛନ୍ତି ।

ସ୍ୱାବଲମ୍ବୀ ହେବା ପାଇଁ ସମସ୍ତ ସୁବିଧା ଓ ସହଯୋଗ ଥାଇ ମଧ୍ୟ ଅନେକ ମହିଳା ତାହାର ସଦୁପଯୋଗ କରି ପାରୁ ନାହାନ୍ତି । କିନ୍ତୁ ମା ତାରା ତାରିଣୀ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଯେଉଁ ଭଳି ଭାବେ ରଙ୍ଗୀନ ମାଛ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details