ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଆକ୍ରମଣ ।ପୁଣି ହାତୀ ନେଲା ଆଉ ଜଣକ ଜୀବନ । ଏଥର ବି ଆମ୍ବ ଗୋଟାଇବାକୁ ହୋଇଛି କାଳ। ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧାଙ୍କୁ ଦଳିଦେଇଛି ହାତୀ । ଅନୁଗୋଳ ଜିଲାର ବନ୍ତଳା ବନାଞ୍ଚଳ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ମହିଳା ଜଣଙ୍କ ହେଲେ ମରଣ୍ଡା ଗାଁର ଖଟକ ବେହେରା । ତେବେ ଖଟକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ସୂଚନାଅନୁସାରେ, ଝଟକ ଆଜି ବଡି ଭୋରୁ ବଗିଚାକୁ ଆମ୍ବ ତୋଳିବାକୁ ଯାଇଥିଲେ । ଭୋର ସମୟରେ ଅନ୍ଧାର ଥିବାରୁ ହାତୀଟିକୁ ଦେଖି ନପାରି ପାଖକୁ ଚାଲି ଯାଇଥିଲେ । ହାତୀଟି ଖଟକଙ୍କୁ ଶୁଣ୍ଡରେ କଚାଡି ଦେବାସହ ପାଦରେ ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଖଟକଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଓ ପୋଲିସ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ବାରମ୍ବାର ସେହି ଗୋଟିଏ ରେଞ୍ଜରେ ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ସହ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି ।
ଲଗାତାର 5 ଦିନ ଭିତରେ ଚାରି ଚାରିଟି ଜୀବନ ନେଲେଣି ଦନ୍ତା । 25 ତାରିଖ ଦିନ ଦୁଇ ମହିଳାଙ୍କୁ ଦଳି ମାରିଥିବା ବେଳେ 26 ତାରିଖ ଦିନ ଜଣେ ମହିଳା ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତଖାନାରେ ପ୍ରାଣ ହରାଇଛନ୍ତି । ଆଜି ପୁଣି ଜିଲ୍ଲାର ସେହି ଅନୁଗୋଳ ବନାଞ୍ଚଳ ବନ୍ତଳା ରେଞ୍ଜରେ ଘଟିଛି ସମାନ ଅଘଟଣ । ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଇଛି ଦନ୍ତା ।