ଅନୁଗୋଳ: ସତକୋଶିଆରେ ସଫଳ ହୋଇପାରୁନି ଘଡ଼ିଆଳ ବଂଶବୃଦ୍ଧି କାର୍ଯ୍ୟକ୍ରମ । ଏଠାରେ ପରୀକ୍ଷା ମୂଳକ ଭାବେ ୪ଟି ପର୍ଯ୍ୟାୟରେ ୧୯ଟି ଘଡ଼ିଆଳ ଛଡା ଯାଇଥିଲା । ଦୀର୍ଘ ୪୦ ବର୍ଷ ପରେ ପ୍ରାକୃତିକ ପରିବେଶରେ ଦୁଇ ଦୁଇ ଥର ୫୦ରୁ ଅଧିକ ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । କିନ୍ତୁ ଛଡା ଯାଇଥିବା ଘଡ଼ିଆଳ ମଧ୍ୟରୁ ୩/୪ଟିର ସନ୍ଧାନ ମିଳୁଛି । ଛୁଆଗୁଡିକର କୌଣସି ପତ୍ତା ମିଳିପାରୁନାହିଁ ।
ସାତକୋଶିଆ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ବଂଶବୃଦ୍ଧି ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଆଶଙ୍କା ଘଡ଼ିଆଳ ଭଳି ଏକ ବିରଳ ପ୍ରଜାତିର କୁମ୍ଭୀର ସୁରକ୍ଷା ଏବଂ ସେମାନଙ୍କର ବଂଶବୃଦ୍ଧି ପାଇଁ ରାଜ୍ୟ ବନ ବିଭାଗ କିଛି ବର୍ଷ ହେବ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ବିଶେଷ କରି ମହାନଦୀ ସାତକୋଶିଆ ଗଣ୍ଡ ଘଡ଼ିଆଳ ପ୍ରଜନନ ପାଇଁ ଉପଯୁକ୍ତ ଆବସସ୍ଥଳୀ ହୋଇଥିବାରୁ ସେଠାରେ କିଭଳି ଏମାନଙ୍କ ବଂଶବୃଦ୍ଧି ହୋଇପାରିବ ସେ ଦିଗରେ ଅଧିକରୁ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି । କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ସେମିତି କିଛି ସଫଳତା ମିଳିପାରି ନାହିଁ । କାରଣ ଦୁଇ ବର୍ଷ ଭିତରେ ୪ଟି ପର୍ଯ୍ୟାୟରେ ଗଣ୍ଡରେ ୧୯ଟି ଘଡ଼ିଆଳ ନନ୍ଦନକାନନରୁ ଅଣାଯାଇ ଏଠାରେ ଛଡାଯାଇଛି ।
ପ୍ରାୟ ସବୁ ଘଡ଼ିଆଳ ଶରୀରରେ ରେଡ଼ିଓ କୋଲାର ଲଗାଯାଇଛି । କିନ୍ତୁ ଗତ କିଛି ଦିନର ରିପୋର୍ଟ ଅନୁସାରେ ଅନୁଗୋଳର ବଲଦମରା, କନକେଇ ଏବଂ ସମ୍ବଲପୁରର ଚରଣପୁର ଓ କଟକର ନାଉଡ଼ିହା ଠାରେ ୪ଟି ଘଡ଼ିଆଳ ଥିବା ଜଣାପଡ଼ିଛି । ଅନ୍ୟ ଘଡ଼ିଆଳ ଗୁଡିକର କୌଣସି ପତ୍ତା ମିଳିପାରୁନାହିଁ । ହୁଏତ ପରବର୍ତ୍ତୀ ସମୟରେ ସେମାନଙ୍କ ଗତିବିଧି ଜଣାପଡିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି । ଏହାଛଡା ଗତ ୨୦୨୧ ମେ' ମାସ ୨୭ ତାରିଖରେ ସାତକୋଶିଆ ବଲଦମରା ଠାରେ ଦୀର୍ଘ ୪୦ବର୍ଷ ପରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ । ସେହିପରି ଚଳିତ ବର୍ଷ ମେ' ମାସ ୧୦ ରେ ମଧ୍ୟ ସାତକୋଶିଆ ଗଣ୍ଡରେ ୩୨ଟି ଛୁଆ ଜନ୍ମ ହୋଇଛନ୍ତି । କିନ୍ତୁ ୨୦୨୧ରେ ଜନ୍ମ ହୋଇଥିବା ଗୋଟିଏ ହେଲେ ଛୁଆ ନଜରକୁ ଆସୁନାହାନ୍ତି ବୋଲି ବିଶେଷଜ୍ଞ କହିଛନ୍ତି ।
ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ପୁରୀ କେନାଲରୁ ୩ଟି ଘଡ଼ିଆଳ ଛୁଆ ଉଦ୍ଧାର ହୋଇଥିଲା । ଆଉ ଦୁଇଟି ମୃତ ଅବସ୍ଥାରେ ମିଳିଥିଲେ । ଚଳିତ ବର୍ଷ ଜନ୍ମ ହୋଇଥିବା ୩୨ଟି ଯାକ ଘଡ଼ିଆଳ ଛୁଆ କେଉଁଠି ଅଛନ୍ତି କିଛି ଜଣାପଡୁନାହିଁ । ଏପରିକି ମାଆ ଘଡ଼ିଆଳର ଅବସ୍ଥିତି ମଧ୍ୟ ଜଣାପଡୁନାହିଁ । ପ୍ରାକୃତିକ ଆବସସ୍ଥଳୀରେ ଜନ୍ମ ହେଉଥିବା ଘଡ଼ିଆଳ ସୁରକ୍ଷିତ ରହିପାରୁନାହାନ୍ତି । ତେଣୁ ଘଡ଼ିଆଳ ବଂଶବୃଦ୍ଧି ଏଠାରେ ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ । ଏହାର କାରଣ ଖୋଜିବା ଏବେ ଜରୁରୀ ହୋଇପଡିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ।
ତେବେ ସାତକୋଶିଆ ଗଣ୍ଡରେ ଘଡ଼ିଆଳ ପରି ବିରଳ ପ୍ରାଣୀ ସୁରକ୍ଷା ଓ ସେମାନଙ୍କ ବଂଶବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଉଦ୍ୟମ କରାଯାଉଛି ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦିଆ ଯାଇଛି । ଦୁଇ ଜଣ ବରିଷ୍ଠ ବିଶେଷଜ୍ଞଙ୍କ ତତ୍ୱବାଧାନରେ ଏକ ଟିମ ଗଠନ କରାଯାଇଛି । ଏହି ଟିମ ସାତକୋଶିଆ ଗଣ୍ଡର ବିଭିନ୍ନ ଅଞ୍ଚଳରେ ବୁଲି ଘଡ଼ିଆଳମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି ଏବଂ ଏକ ପରାମର୍ଶଦାତା କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ସମୟରେ ବନ ବିଭାଗକୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି । ସାତକୋଶିଆ ଗଣ୍ଡ ଅବବାହିକାରେ ନୟାଗଡ଼, କଟକ, ଆଠମଲ୍ଲିକ, ଆଠଗଡ଼ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରହିଥିବାରୁ ସେହି ସବୁ ବନଖଣ୍ଡର ଡିଏଫଓମାନଙ୍କୁ ଘଡ଼ିଆଳ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବନ୍ୟଜନ୍ତୁ ବିଶେଷଜ୍ଞ କହିଛନ୍ତି ।
ତେଣୁ ଅନେକ ସମୟରେ ଗଣ୍ଡ ଭିତରେ ମାଛ ମାରିବା, ଡଙ୍ଗା ଚଳପ୍ରଚଳ କରିବା ଏବଂ ଘଡ଼ିଆଳ ପ୍ରଜନନ ସ୍ଥାନକୁ ଯିବା ଆସିବାରେ କଟକଣା ଲଗାଇବା ଆଦି ଅନେକ ପଦକ୍ଷେପ ନିଆଯାଉଛି । ଏସବୁ କାର୍ଯ୍ୟ ପରେ ମଧ୍ୟ କାହିଁକି ଘଡ଼ିଆଳ ସୁରକ୍ଷିତ ରହୁ ନାହାନ୍ତି ଏବଂ ସେମାନଙ୍କ ବଂଶ ବୃଦ୍ଧି ହୋଇପାରୁ ନାହିଁ ତାହା ଏବେ ଚିନ୍ତାର କାରଣ ପାଲଟିଛି ବୋଲି ବନ୍ୟଜନ୍ତୁ ବିଶେଷଜ୍ଞ କହିଛନ୍ତି । ଆମ ଦେଶରେ ଚମ୍ବଲ ଓ ଗଣ୍ଡକ ପରେ ସତକୋଶିଆରେ ହିଁ ଦେଖା ଯାଆନ୍ତି ଘଡ଼ିଆଳ । ଚମ୍ବଲ ଓ ଗଣ୍ଡକରେ ଘଡ଼ିଆଳ ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ସତକୋଶିଆରେ ବହୁ ପଦକ୍ଷେପ ପରେ ମଧ୍ୟ ଏମାନଙ୍କ ସଂଖ୍ୟା ବୃଦ୍ଧି ନପାଇବା ପଛରେ କିଛି ନା କିଛି ଅସୁବିଧା ରହିଛି । ତେଣୁ ସେଠାକାର ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞ ମତ ଦେଇଛନ୍ତି ।
ଇଟିଭି ଭାରତ, ଅନୁଗୋଳ