ଓଡିଶା

odisha

ETV Bharat / state

900 ପରିବାରର ଭରସା ଗୋଟିଏ ନଳକୂପ - anugul

ରନ୍ତଲେଇ ଗାଁରେ ପାଖାପାଖି ୯୦୦ରୁ ଅଧିକ ପରିବାର ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି । ପ୍ରବଳ ଖରାକୁ ଜଳକଷ୍ଟ ଅସ୍ତବ୍ୟସ୍ତ କରିଦେଇଛି ଜନଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : May 28, 2019, 10:20 PM IST

ଅନୁଗୋଳ: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ । ଦିନ ପରେ ଦିନ ଗଡୁଛି ସିନା ହେଲେ ପ୍ରକଳ୍ପର ଲାଭ ଲୋକଙ୍କୁ ମିଳୁନାହିଁ । ବିଭାଗୀୟ ଉଦାସୀନତା ହେଉ କି ଠିକାଦାରର ମନମାନି ବର୍ଷ ବର୍ଷ ଧରି ପାଇପ ପଡି ରହୁଥିଲେ ହେଁ ଗାଁକୁ ଆସୁନି ପିଇବା ପାଣି । ଫଳରେ ଲୋକେ ହେଉଛନ୍ତି ନାହିଁ ନଥିବା ହଟହଟା। ଏଭଳି ଉତ୍କଟ ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ଅନୁଗୋଳ ସହର ପାଖ ଗାଁ ରନ୍ତଲେଇର ଗ୍ରାମବାସୀ ।

ରନ୍ତଲେଇ ପଞ୍ଚାୟତର ଲୋକେ ଭୋଗୁଛନ୍ତି ଏପରି ଜଳକଷ୍ଟ । ପୁରା ରନ୍ତଲେଇ ଗାଁରେ ଏବେ ପାନୀୟ ଜଳର ଘୋର ସଙ୍କଟ । ଖରା ଦିନେ ଗାଁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ସହର ନିକଟରେ ଥାଇ ମଧ୍ୟ ଏପର୍ଯ୍ୟନ୍ତ ଗାଁରେ ପାଣି ବ୍ୟବସ୍ଥା ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁସାରେ ରନ୍ତଲେଇ ଗାଁରେ ପାଖାପାଖି ୯୦୦ରୁ ଅଧିକ ପରିବାର ରହୁଛନ୍ତି । ପଞ୍ଚାୟତରେ ମୁଖ୍ୟତଃ ନନ୍ଦିନୀପଡା, ପାଞ୍ଜିଆ ସାହି ଓ ରଗୁଡି ସାହିରେ ଜଳ କଷ୍ଟ ସବୁଠାରୁ ଅଧିକ । ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି ପୁରା ଗାଁର ପ୍ରାୟ 3ରୁ 4 ହଜାର ଲୋକ । ପାଇପରେ ପାଣି ଯୋଗାଇ ଦେବା କହି ପାଇପ ପକା ଯାଇଛି କିନ୍ତୁ ଠିକାଦାର ଦେଖାଦେଉନି । ସରପଞ୍ଚ କି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କେହି ସେମାନଙ୍କ କଥା ଶୁଣୁନାହାଁନ୍ତି । ଯଦି ଆଗାମୀ ଦିନରେ ପାଣି ଯୋଗାଇ ଦିଆ ନ ଯାଏ, ତେବେ ସେମାନେ ରାଜରାସ୍ତାରେ ବସିବେ ବୋଲି ଧମକ ଦେଇଛନ୍ତି ।

ସେପଟେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ କହିଛନ୍ତି ପାଣି ଯୋଗାଇବା ପାଇଁ ଅଳ୍ପ କିଛି କାମ ବାକି ଅଛି । ଖୁବ ଶୀଘ୍ର ଶେଷ କରି ପାନୀୟ ଜଳ ଯୋଗାଇ ଦିଆଯିବ । ତେବେ ଦେଖିବାର କଥା ବିଭାଗ ଖରାଦିନ ସାରିବା ପୂର୍ବରୁ ଲୋକଙ୍କୁ ପାଣି ଯୋଗାଉଛି ନା ଆହୁରି ଦିନ ଗଡାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details